କେତେ ସୁରକ୍ଷିତ ଗଜରାଜ? ଅସୁରକ୍ଷିତ ଭାବେ ରେଳ ଲାଇନ୍ ପାର ହେଉଛନ୍ତି ହାତୀ ପଲ

ଢେଙ୍କାନାଳ (କେନ୍ୟୁଜ୍) : ଟ୍ରେନ୍ ଦୁର୍ଘଟଣାରେ ବିଭିନ୍ନ ସମୟରେ ଯାଉଛି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ହେଲେ ହାତୀ କରିଡ଼ରରେ ସୁରକ୍ଷିତ ତ ଗଜରାଜ । ବିପଦସଙ୍କୁଳ ଭାବେ ରେଳ ଲାଇନ୍ ପାର ହେଉଛନ୍ତି ହାତୀ । ଗୋଟିଏ କି ଦୁଇଟି ନୁହଁ । ପାଖାପାଖି ୩୦ଟି ହାତୀ ଅସୁରକ୍ଷିତ ଭାବେ ରେଳ ଲାଇନ୍ ପାର ହେଉଛନ୍ତି । ଟ୍ରେନ୍ ଲାଇନରେ ଅରେଞ୍ଜ ସିଗନାଲ ରହିଛି । ଅର୍ଥାତ୍ କୌଣସି ସମୟରେ ଟ୍ରେନ୍ ଆସିବାର ସମ୍ଭାବନା ରହିଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଓଡାପଡ଼ାରେ । ଏହି ପ୍ରଶ୍ନ ଉଠୁଛି, ହାତୀମାନେ ଟ୍ରେନ୍ ଲାଇନ୍ ପାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ଥିଲା କି ? ବନ ବିଭାଗ ରେଳ ବିଭାଗକୁ ଏନେଇ ସୂଚନା ଦେଇଥିଲା କି ? ହାତୀ ଟ୍ରେନ୍ ଲାଇନ୍ ପାର ହେଉଥିବାରୁ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଛି କି ? ନା ଅସୁରକ୍ଷିତ ଭାବେ ହାତୀମାନେ ଟ୍ରେନ୍ ଲାଇନ୍ ପାରହେଉଛନ୍ତି ? ଗତ କିଛି ଦିନ ତଳେ ଢେଙ୍କାନାଳ କମଳାଙ୍ଗରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନ ଯାଇଥିଲା ।
ଏହି ଘଟଣାରେ ବନ ବିଭାଗର ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଥିଲେ । ହାତୀ ପଲ ଏଅଞ୍ଚଳ ଛାଡୁନଥିବାରୁ ଲୋକେ ଚିନ୍ତାରେ ଅଛନ୍ତି। କାରଣ ହାତୀମାନେ ଧାନ ଫସଲ ନଷ୍ଟ କରିବାର ସମ୍ଭାବନା ରହିଛି । ହାତୀ ଭୟରେ ଲୋକେ ସଂଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ।