ସହଦେବ ନାୟକ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ସଫେଇ କର୍ମୀଙ୍କ ଧାରଣ
ଭୁବନେଶ୍ବର: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା । ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ । ଏଥିପାଇଁ ଆଜି ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣାରୁ ଉଠିବେନି ବୋଲି ସଫେଇ କର୍ମଚାରୀ ସଂଘ କହିଛି ।
ଅନ୍ୟପଟେ ଗତକାଲି ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । କମିସନରେଟ୍ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଗତକାଲି ସନ୍ଧ୍ୟାରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେଦାରପଲ୍ଲୀର । ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଜଣାପଡ଼ିଛି । ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।