ଆରପାରିରେ ଗାଁର ମଉଡ଼ମଣି, ରୋଜଗାରିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ

ଝୁରୁଛି ଗାଁ ଦାଣ୍ଡ, କାନ୍ଦୁଛି ସାରା ଗାଁ । ଭାଙ୍ଗି ପଡିଛନ୍ତି ପରିବାର ଲୋକ । ସତରେ ମୃତ୍ୟୁ ଏମିତି ବି ଆସେ । ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନ ଏବଂ ଗ୍ରାମବାସୀ । ସମସ୍ତଙ୍କ ଆଖିରେ ଲୁହ । ଏମାନଙ୍କ କାନ୍ଦ ଦେଖି ହେଉନି କି ସହିହେଉନି । କେମିତି ବା ଧୈର୍ଯ୍ୟ ଧରିପାରିବ କେହି ଜଣେ । ହଠାତ କେହି କିଛି ବୁଝିବା ଆଗରୁ ଆର ପାରିକୁ ଚାଲିଗଲା ପରିବାରର ରୋଜଗାରିଆ ସାନ ପୁଅ । କେବଳ ପରିବାରର ଗେହ୍ଲା ପୁଅ ନଥିଲେ ସେ ଥିଲେ ପୁରା ଗାଁର ମଉଡମଣୀ ।

କିଏ ଜାଣିଥିଲା ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । କେହି କେହି ଏ କଥାକୁ ବିଶ୍ୱାସ ବି କରି ପାରୁନାହାନ୍ତି । ଆମେ ଏମିତି ଜଣେ ବୀର ଜବାନଙ୍କ କଥା କହୁଛୁ ଯିଏ କେବଳ ଦେଶ ସେବାରେ ନୁହେଁ ନିଜ ଜନ୍ମ ମାଟି ତଥା ମାତୃଭୂମିର ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ହେଲେ ଆଜି ସମସ୍ତଙ୍କୁ ଏକା କରି ଚାଲିଯାଇଛନ୍ତି ଆରପାରିକୁ । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ କୁଆଁଳ ଗ୍ରାମର ବୀର ଜବାନ ଜିତେନ୍ଦ୍ର ରାଉତ । ସମସ୍ତେ ଶ୍ରଦ୍ଧାରେ ଡାକନ୍ତି ଜିତୁ । ୪୩ ବର୍ଷୀୟ ଜିତେନ୍ଦ୍ର ୨୦୦୧ ମସିହାରେ ଭାରତୀୟ ସେନାରେ ନିଜକୁ ସାମିଲ କରି ନିଜକୁ ଦେଶ ସେବାରେ ନିହୋଜିତ କରିଥିଲେ ।

୨୪ ବର୍ଷ ଧରି ଦେଶ ସେବାରେ ନିଜକୁ ନିୟୋଜିତ କରିଥିବା ଜିତେନ୍ଦ୍ର ଶେଷରେ ସମସ୍ତଙ୍କୁ ଶୋକାକୁଳ ପରିବେଶ ଭିତରେ ଛାଡିଦେଇ ଚାଲିଯାଇଛନ୍ତି ଆରପାରିକୁ । ଜିତେନ୍ଦ୍ର ତାଙ୍କ ନିଜ ପରିବାର ସ୍ତ୍ରୀ ପୁଅ ଓ ଛୋଟ ଝିଅକୁ ନେଇ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ରହି ଆସୁଥିଲେ । ଦିଲ୍ଲୀରେ ଆର୍ମୀ ଜବାନ ହାବିଲଦାର ମେଜର ଭାବେ କାର୍ଯ୍ୟରତ ଥିଲେ । ଚଳିତ ମାସ ୨୨ ତାରିଖ ଦିନ ନିଜର କାର୍ଯ୍ୟ ସାରି ଘରକୁ ଫେରିବା ପରେ ହଟାତ୍ ଜିତେନ୍ଦ୍ରଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନିଆଯାଇଥିଲା ।

କିନ୍ତୁ ବୋଧ ହୁଏ ବିଧିର ବିଧାନ କିଛି ଅଲଗା ଥିଲା । ନିଶ୍ୱାସର ବେଗ ସତେ ଯେମିତି ଶିଥିଳ ହୋଇଯାଇଥିଲା । ଦେହର ଉତ୍ତାପ ଧୀରେ ଧୀରେ ଶିଥିଳ ହେବାକୁ ଲାଗିଥିଲା । ଆଉ କିଛି ସମୟ ପରେ ସବୁକିଛି ସ୍ପଷ୍ଟ ଅନୁଭୂତ ହେଲା । ଆଉ ଏ ଦୁନିଆରେ ନାହାନ୍ତି ଜିତେନ୍ଦ୍ର । ହଠାତ ଏ କଣ ସବୁ ହୋଇଗଲା । ସମସ୍ତେ ହତବାକ୍ ହୋଇଯାଇଥାନ୍ତି । ମୂକ ପାଲଟି ଗଲେ ପତ୍ନୀ, ସ୍ତବ୍ଧ ହୋଇଗଲେ ସାଙ୍ଗସାଥି । ସତରେ କ’ଣ ମୃତ୍ୟୁ ଏମିତି ବି ଆସେ । ପାଖରେ ଥାଆନ୍ତି ୯ ବର୍ଷର ପୁଅ ଓ ଚାରି ବର୍ଷର କୁନି ଝିଅ ।

ଏତେ ଛୋଟ ବୟସରେ ତାଙ୍କ ଠାରୁ ସବୁକିଛି ଛଡାଇ ନେଲା ସମୟ । କେହି କିଛି ବୁଝିବା ଆଗରୁ ହିଁ ସବୁକିଛି ଶେଷ ହୋଇଗଲା । ଏହାପରେ ଗାଁକୁ ଫେରିଥିଲା ଜିତେନ୍ଦ୍ରଙ୍କ ପାର୍ଥିବ ଶରୀର । ଆଠଗଡ଼ ବିଧାୟକଙ୍କ ସହ ଆଠଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜିତେନ୍ଦ୍ର ଜଣେ ସାହସୀ, ମେଳାପି ଓ ପରୋପକାରି ଯୁବକ ଥିଲେ ।

ଗାଁର ଯେକୌଣସି କାମ ହେଉନା କାହିଁକି ଜିତେନ୍ଦ୍ରଙ୍କ ଉପସ୍ଥିତି ନିଶ୍ଚିତ ଥାଏ । ସହଯୋଗ ହେଉ ଅବା ଆର୍ଥିକ ସହାୟତା ସବୁଥିରେ ଜିତେନ୍ଦ୍ରଙ୍କ ସହଯୋଗ ରହିଥାଏ । ଗାଁର ସୁନା ପୁଅ ତଥା ଗାଁର ମଉଡମଣୀ ଭାବେ ସମସ୍ତଙ୍କ ଆଦର ଓ ସ୍ନେହର ହକଦାର ରୁହନ୍ତି ଜିତେନ୍ଦ୍ର । ସେ ଯେବେ ବି ଗାଁକୁ ଆସନ୍ତି ଘର ଘର ବୁଲି ସମସ୍ତଙ୍କ ଠାରୁ ନିଅନ୍ତି ଆଶ୍ରିବାଦ୍ । ହେଲେ ଦଇବ ଏ କଣ କଲା, କାହିଁକି ଗାଁ ମାଟିର ସୁନା ପୁଅକୁ ଛଡାଇ ନେଇ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଓ ଆଦରରୁ ବଞ୍ଚିତ କଲା । ସମସ୍ତ ଆଖିରେ ଲୁହ, ଦେଉଛନ୍ତି ଶେଷ ଶ୍ରଦ୍ଧାଞ୍ଜଳି । ଆଉ ଫେରିବେନି ଗାଁର ମଉଡମଣି ।

You might also like