ଗାଁ ଶ୍ମଶାନରେ ତୋପ ସଲାମି ସହ ସହିଦ ଜବାନ ଚୈତନ୍ୟ ଶବରଙ୍କ ସମ୍ପନ୍ନ ହେଲା ଶେଷକୃତ୍ୟ

ବନ୍ଦେ ମାତରମ୍ ସାଙ୍ଗକୁ ଭାରତ ମାତା କି ଜୟ ଧ୍ୱନୀରେ ଫାଟିପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖି ଛଳ ଛଳ, ଛାତିରେ ଅଜସ୍ର କୋହ । କାହିଁକିନା ଏ ଦୁନିଆ ଛାଡି ସବୁ ଦିନପାଇଁ ଆରପାରିକୁ ଚାଲିଯାଇଛନ୍ତି ଏ ଗାଁର ବୀର ପୁଅ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚୈତନ୍ୟ ଶବର ଅମର ରହେ...

ନୂଆପଡା(କେନ୍ୟୁଜ୍‌): ବନ୍ଦେ ମାତରମ୍ ସାଙ୍ଗକୁ ଭାରତ ମାତା କି ଜୟ ଧ୍ୱନୀରେ ଫାଟିପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖି ଛଳ ଛଳ, ଛାତିରେ ଅଜସ୍ର କୋହ । କାହିଁକିନା ଏ ଦୁନିଆ ଛାଡି ସବୁ ଦିନପାଇଁ ଆରପାରିକୁ ଚାଲିଯାଇଛନ୍ତି ଏ ଗାଁର ବୀର ପୁଅ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚୈତନ୍ୟ ଶବର ଅମର ରହେ…

ଏ ଦୁନିଆରେ ଜନ୍ମ ହୋଇଛେ ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଅକାଳ ମୃତ୍ୟୁ ଭାରି ଦୁଃଖଦାୟକ । ନିଜର ଲୋକଟିକୁ ସବୁଦିନ ପାଇଁ ହରାଇ ବସିବା ଯେ କେତେ ହୃଦୟ ବିଦାରକ ତାହା ସେହି ପରିବାର ଲୋକ ହିଁ କହିପାରିବେ । ତେବେ ଏ ଗାଁ ଆଜି ନିସ୍ତବ୍ଧ ତାର ବୀର ପୁଅକୁ ହରାଇ ।

ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥର କୋମନା ନିକଟରେ ଗତ ରବିବାର ଘଟିଥିଲା ଅଭାବନୀୟ ଦୁର୍ଘଟଣା । ବାଇକ ଯୋଗେ ଆସୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ସିଆରପିଏଫ ଜବାନ ଚୈତନ୍ୟ ଶବରଙ୍କ ମୃତ୍ୟୁ ଘଟିଥିଲା । ଆଉ ଏ ହେଉଛି ଗତକାଲିର ଦୃଶ୍ୟ । ଯେତେବେଳେ ସହିଦ ଜବାନ ଚୈତନ୍ୟ ଶବରଙ୍କ ମରଶରୀର ଆସି ନିଜ ଜନ୍ମମାଟି ବୋଡେନ ଥାନା ଅନ୍ତର୍ଗତ କ୍ଷୀରମାଲ ଗାଁରେ ଆସି ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ ସହିଦ ଜବାନଙ୍କ ମରଶୀରକୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଗାଁ ପରିକ୍ରମା କରିବା ସହ ଶ୍ରଦ୍ଧାଜଳି ଦିଆଯାଇଥିଲା । କିଛି ସମୟ ପରେ ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ ଜବାନ ଚୈତନ୍ୟଙ୍କୁ ତୋପ ସଲାମି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସୂଚନା ମୁତାବକ, ସହିଦ ଜବାନ ଚୈତନ୍ୟ ଶବର ସୁନାବେଡା ଦାଥୁନାମା ସ୍ଥିତ ୨୧୬ ନମ୍ୱର ସିଆରପିଏଫ ବାଟାଲିୟନ କ୍ୟାମ୍ପରେ ଜବାନ ଭାବେ କାର୍ଯ୍ୟ କରୁଥିଲେ ।

ଅମର ରହେ ଧ୍ୱନିରେ କମ୍ପୁଥିଲା ସାରା ଅଞ୍ଚଳ । ରାସ୍ତାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶହ ଶହ ଲୋକ । ଶେଷରେ ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ଚୈତନ୍ୟ ଶବରଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ବିଲୀନ ହୋଇଛି ତାଙ୍କ ପାର୍ଥିବ ଶରୀର । ଏଭଳି ସଡକ ଦୁର୍ଘଟଣାରେ ବୀର ଜବାନ ପୁଅକୁ ହରାଇ ଏବେ ସମଗ୍ର ଗାଁରେ ଖେଳିଯାଇଛି ଶୋକର ଛାୟା ।

 

You might also like