ଯବାନଙ୍କ ଅକାଳ ବିୟୋଗରେ ସମଗ୍ର ଗାଁ ସ୍ତବ୍ଧ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

କାମାକ୍ଷାନଗର: କୁହାଯାଏ “ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର”। ଆଉ ତାଙ୍କ ବୀରତ୍ୱର ଗାଥାର ଛାପ ଛାଡି ଦେଇ ଯାଆନ୍ତି ଜନସାଧାରଣଙ୍କ ହୃଦୟରେ । ସେହିପରି ଜଣେ ଭାରତ ମାତାର ବୀର ସନ୍ତାନ ଥିଲେ ସୂରଜ । ଭଲ ନା ସୂରଜ କୁମାର ହୋତା । ଯାହାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଦେଇଛି ଗଭୀର ଦୁଃଖ ।

ତେବେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସୂରଜଙ୍କ ଅଚାନକ ବିୟୋଗରେ ସମଗ୍ର ଗାଁ ସ୍ତବ୍ଧ । ଯବାନ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ମ୍ରିୟମାଣ । ତେବେ ଯାହା ସୂଚନା ମିଳିଛି, କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସୂରଜ ଆଜିକୁ ପ୍ରାୟ ୧୩ ବର୍ଷ ଧରି ଭାରତୀୟ ବାୟୁସେନାରେ କାର୍ଯ୍ୟ କରି ଆସୁଥିଲେ । ବାୟୁସେନାର ଆମ୍ବାଲା କ୍ୟାମ୍ପରେ ଡିୟୁଟି କରୁଥିବା ସମୟରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଫଳରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଗତ ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା ।

ତେବେ ଆଜି ସକାଳୁ ତାଙ୍କ ପାର୍ଥିବ ଶରୀର ଅଁଳାବେରେଣୀ ସ୍ଥିତ ଘରେ ପହଁଚିବା ପରେ ସୂରଜଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ରୁଣ୍ଡ ହୋଇଥିଲେ । ପରେ ସଂକୀର୍ତନ ମାଧ୍ୟମରେ ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ବାୟୁସେନା ତରଫରୁ ତୋପ ସଲାମୀ ପ୍ରଦାନ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶ୍ମଶାନ ଠାରେ ପହଞ୍ଚି ଯବାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସବୁଦିନ ପାଇଁ ଅସ୍ତ ହୋଇଯାଇଛନ୍ତି ସୂରଜ । ସୂରଜଙ୍କ ଜୀବନ ଦୀପ ଲିଭିଯାଇଥିଲେ ମଧ୍ୟ ଅନେକଙ୍କ ମନରେ ସୃଷ୍ଟି କରିଛନ୍ତି ଦେଶ ପ୍ରେମ । କେବଳ ପରିବାର ଲୋକ ନୁହେଁ ଏଭଳି ଜଣେ ବୀର ଯବାନଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଖେଳାଇଦେଇଛି ଶୋକର ଛାୟା ।

 

You might also like