ସମ୍ବଲପୁରର କୁନି ଝିଅ ସାଇ ଅଂଶିକାଙ୍କ କାମାଲ୍,”ଆମାଜନ”ଇ କମର୍ସ ବ୍ୟବସାୟିକ ଆପର ହେଲେ ମଡେଲ୍

କୁଚିଣ୍ଡା(କେନ୍ୟୁଜ୍): ଅନ୍ତଃରାଷ୍ଟ୍ରୀୟ ବିଶିଷ୍ଟ କଂପାନୀ”ଆମାଜନ”ଇ କମର୍ସ ବ୍ୟବସାୟିକ ଆପର ମଡେଲ ଭାବେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତ(ପଣ୍ଡରିପଥର)ଗ୍ରାମର ସାଇ ଅଂଶିକା ବେସନ(୮) ଚୟନ ହୋଇଥିବା ଜଣାପଡିଛି । ସେ ଅବସରପ୍ରାପ୍ତ ଏସବିଆଇ ବ୍ୟାଙ୍କ ମ୍ୟାନେଜର ଶ୍ୟାମ ସୁନ୍ଦର ବେସନଙ୍କ ନାତୁଣୀ ତଥା ବାପା ଅନିଲ ବେସନ ଓ ମାଁ ଲତା ହରିପାଲଙ୍କ ଏକମାତ୍ର ଝିଅ ଅଟନ୍ତି ।

ଗତ ଅଗଷ୍ଟ ମାସରେ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ପାଇଁ ଆହ୍ୱାନ କରାଯାଇଥିଲା । ସୂଚନା ପାଇ ଏଥିପାଇଁ ସାଇ ଅଂଶିକା ଅନ ଲାଇନରେ ଆବେଦନ କରିଥିବାବେଳେ,ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ଯାଇଥିଲେ । ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁ ମାନଙ୍କୁ ନେଇ ଏକ ଫେସନ ସୋ ଆୟୋଜିତ ହୋଇଥିଲା। ଯେଉଁଥିରେ ଅଂଶିକା ନିଜର ବ୍ୟକ୍ତିତ୍ବ,କଳା ପ୍ରଦର୍ଶନ ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ଶିଶୁ ମଡେଲ ଭାବେ ବିବେଚିତ ହୋଇଥିଲେ ।

ଗତ ସେପ୍ଟେମ୍ବର ୪ ତାରିଖ ଦିନ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଏକ ବର୍ଷ ପାଇଁ ସାମୟିକ ଚୁକ୍ତି କରାଯାଇଛି । ଆମାଜନ କମ୍ପାନୀ ପକ୍ଷରୁ ନେସନାଲ ବ୍ରାଣ୍ଡ ଥିବା “ଡ୍ୟୁକ” ଏହି ଚୟନ ପ୍ରକ୍ରିୟାରେ ଆର ଏ ଏସ୍ ମିଡିଆ ଏଣ୍ଡ ଏଣ୍ଟରଟେଂମେଣ୍ଟ ଜରିଆରେ ସୁଟ କରିଥିଲା । ଇତିମଧ୍ୟରେ ସାଇ ଅଂଶିକା ବେସନଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ କପଡ଼ାର ବିଜ୍ଞାପନ ଥିବା ଆମାଜନ କମ୍ପାନୀର ସପିଙ୍ଗ ଆପରେ ଦେଖିବାକୁ ମିଳୁଛି ।

ସେଠାରେ ଫେରିବା ପରେ ତାଙ୍କୁ ବିଭିନ୍ନ ମହଲ ତଥା ସହପାଠୀ,ବନ୍ଧୁ ବାନ୍ଧବ,ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟୁଛି । ସେ ବର୍ତ୍ତମାନ ବାମରାର ସନ ରାଇଜ ସ୍ପେଶାଲ ଏକାଡେମୀର ଦ୍ଵିତୀୟ ଶ୍ରେଣୀର ଛାତ୍ରୀ ଅଟନ୍ତି । ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭଳି ଏକ ଛୋଟିଆ ଗାଁରୁ ଜଣେ ଶିଶୁ ଏକ ଅନ୍ତରାଷ୍ଟ୍ରୀୟ କମ୍ପାନୀର ଶିଶୁ ମଡେଲ ଭାବେ ଚୟନ ହେବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.