ଭିନ୍ନକ୍ଷମ ବେସାହାରାଙ୍କ ସାହାରା ପାଲଟିଛନ୍ତି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିନା ସ୍ୱାର୍ଥରେ କରୁଛନ୍ତି ସେବା

କଣ୍ଟାବାଞ୍ଜି (କେନ୍ୟୁଜ) : କିଏ କହିଲା ଯାହାର କେହି ନାହିଁ ତାର ସାହା ନାହିଁ ବୋଲି । ଆଜି ବି ଏ ଦୁନିଆରେ କିଛି କଣଙ୍କ ହୃଦୟରେ ମାନବିକତା ବଞ୍ଚି ରହିଛି । ନହେଲେ ଏ ଅଚିହ୍ନା ଲୋକର ଶବ ସତ୍କାର ପାଇଁ ଏତେ ଜଣ ଚାଲି ଆସିନଥାନ୍ତେ । ଦେଖୁନାହାଁନ୍ତି କେମିତି ଧଳା କପଡା ଫୁଲମାଳ ପକାଇ ହାତ ଯୋଡି ପ୍ରଣାମ କରି ପୂରା ରୀତିନୀତିରେ କରୁଛନ୍ତି ଶବ ସତ୍କାର । ଆପଣ ଜାଣିଛନ୍ତି ଯିଏ ମରି ଶୋଇଛନ୍ତି ଏମାନଙ୍କର କେହି ନୁହଁନ୍ତି, ହେଲେ ଏ ଯେତେବେଳେ ଶୁଣିଲେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ପଡିରହିଛି, କେହି ଆସୁନାହାଁନ୍ତି କି ଶବ ସତ୍କାର କରୁନାହାଁନ୍ତି ସେତେବେଳେ ଆଗେଇ ଆସିଲେ ଏମାନେ । ଆଉ ତାପରେ ଯାହା କଲେ ନିହାତି ଭାବେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥିବ ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ଶୁକ୍ରବାର ଏକ ଅସହାୟ ବ୍ୟକ୍ତିଙ୍କ ମୃତ ଶରୀର ପଡି ରହିଥିଲା। ମୃତ ବ୍ୟକ୍ତିଙ୍କ ନା ବଂଶୀ ବାବା ବୋଲି ଜଣାପଡିଥିବା ବେଳେ ସେ ଅନେକ ବର୍ଷ ହେଲା କଣ୍ଟାବାଞ୍ଜି ସହରର ବିଭିନ୍ନ ମନ୍ଦିରରେ ଭିକ ମାଙ୍ଗି ତାଙ୍କ ପେଟରେ ମୁଠେ ଦାନା ଦେଉଥିଲେ। ତାଙ୍କ ପରିବାର କି କୌଣସି ସମ୍ପକୀୟ ନ ଥିବା ଯୋଗୁଁ ତାଙ୍କ ମୃତଦେହକୁ ନେବାକୁ କେହିଁ ଆସିନଥିଲେ। ସେମିତି ହସ୍ପିଟାଲ ବାରଣ୍ଡାରେ ପଡିରହିଥାଏ ତାଙ୍କ ମର ଶରୀର । କେହି ଜଣେ ବି ହେଲେ ଆସିଲେନି । କିନ୍ତୁ ଯେତେବେଳେ ଏନେଇ କଣ୍ଟାବାଞ୍ଜିର ସାଇ ଭାଇ ସୋସିଆଲ ୱାର୍କର ସ୍ବେଛାସେବୀ ଅନୁଷ୍ଠାନ ଖବର ପାଇଲା ତୁରନ୍ତ ଡାକ୍ତରଖାନାରେ ଆସି ପହଁଚିଲା । ହସ୍ପିଟାଲରୁ ବଂଶୀଙ୍କ ମର ଶରରକୁ ଆଣି ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରି ହିନ୍ଦୁ ପରମ୍ପରା ଅନୁସାରେ କଣ୍ଟାବାଞ୍ଜି ସହର ମଶାଣିରେ ଶେଷ କୃତ ସଂପନ୍ନ କରିଥିଲେ।
ଏହି ସମୟରେ ସାଇ ଭାଇ ସୋସିଆଲ ୱାର୍କର ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପ, ସଦସ୍ଯ ଗୁଲାମ ଜିଲାନୀ,ଉପେନ୍ଦ୍ର ଦୀପ,ଦୀପକ ଦୀପ, ଉପାସନା ଚୌଉନା, ସୋନୁ ପାଠକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅନୁଷ୍ଠାନ ଅନେକ ସମୟରେ ଅସହାୟ ଲୋକଙ୍କ ପାଇଁ ସାହା ପାଲଟିଥାଏ। ରକ୍ତ ପାଇଁ ନାହିଁନ ଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଦେଇଥାଏ। ଏବଂ ମାନସିକଙ୍କୁ ଦେଖି ତାଙ୍କ ଚୁଟି କାଟି ସଫା ଶୁତୁରା କରିଥାଏ । ତାଙ୍କର ଏହି କାର୍ଯ୍ୟ ପାଇଁ ସେମାନେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଥିବା ବେଳେ ଶୁକ୍ରବାର ଜଣେ ଅଚିହ୍ନା ଶବକୁ ସମ୍ମାନର ସହ ଶବ ସଂସ୍କାର କରିଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ଏହିଭଳି ମହତ କାମ ପାଇଁ ପ୍ରଂଶସା କରାଯାଉଛି।