ପ୍ରାୟ ଏକ ହଜାର ଦିନ ହେଲା ଧାରଣାରେ ସାଲିଆ ସାହି ବାସିନ୍ଦା, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ସାଲିଆ ସାହି….ଭୁବନେଶ୍ୱରର ପ୍ରାଣ କେନ୍ଦ୍ର । ଦୁଇ ଲକ୍ଷରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ଅଧିକାଂଶ ମୟୂରଭଞ୍ଜ ଅଞ୍ଚଳରୁ ଆସିଛନ୍ତି । ଜନଜାତି ସମ୍ପ୍ରଦାୟର ଏହି ବସ୍ତି ବାସିନ୍ଦାଙ୍କ ତୃତୀୟ ପୀଢ଼ି ଏବେବି ସଂଘର୍ଷ କରୁଛନ୍ତି । ତିନି ବର୍ଷ ଧରି ରାସ୍ତା ପାଇଁ ସଙ୍ଘର୍ଷ କରୁଛନ୍ତି ରାଜଧାନୀର ସାଲିଆ ସାହି ବାସୀ । ସହରର ଆବଶ୍ୟକତା ଦେଖି ଦୁଇ ସହ ଫୁଟିଆ ରାସ୍ତା ହୋଇଛି । ଏହି ରାସ୍ତା ସାଲିଆ ସାହି ଦେଇ ଯିବା ପାଇଁ ପ୍ରସ୍ତାବ ରହିଛି । ଯାହାକୁ ନେଇ ପ୍ରାୟ ଏକ ହଜାର ଦିନ ହେଲା ବସିଛନ୍ତି ଧାରଣାରେ । ଯଦି ଏହି ରାସ୍ତା ଏହି ବସ୍ତି ଦେଇ ଯାଏ, ତେବେ ବଳି ପଡିଯିବ ଏହି ବସ୍ତି । ଶହ ଶହ ଲୋକେ ବେଘର ହେବେ । ଦୀର୍ଘ ଦଶନ୍ଧୀ ଧରି ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାଭିତ ହେବ ।

ଆସନ୍ତୁ ଜାଣିବା କ’ଣ କହୁଛନ୍ତି ସାଲିଆ ସାହିରେ ଥିବା ଜଣେ ମହିଳା ତାଙ୍କ ମନ କଥା । ୫୦ ବର୍ଷ ତଳେ ଆସିଥିଲୁ । ଏବେବି ସଂଘର୍ଷ କରୁଛି । କୁକୁଡ଼ା ବିକି ପରିବାର ପ୍ରତିପୋଷଣ କରୁଛୁ । ସାଲିଆ ସାହିକୁ ସଂଯୋଗ କରୁଥିବା ରାସ୍ତା ଖାଲ ଖମାରରେ ଭର୍ତ୍ତି । ଏହା ସର୍ଟ କଟ୍ ହୋଇଥିବାରୁ ଏହି ରାସ୍ତା ଦେଇ କାର୍, ମୋଟର ସାଇକେଲ ଆଦି ଯାଇଥାଏ । ହେଲେ ଏଥିପାଇଁ ଟ୍ରାଫିକ ଜାମ୍ ହେବା ସହ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଆମେ ଆସି ପହଞ୍ଚିଥିଲୁ ସାହିର ଏକ ଘରେ । ଘର ମୂରବୀ ତିନି ମାସ ହେଲା ଦୁର୍ଘଟଣାର ଶିକାର ହୋଇ ଘରେ ବସିଛନ୍ତି । ରୋଜଗାରକ୍ଷମ ସ୍ତ୍ରୀ ପାର୍କରେ ମୂଲ ଲାଗି ପରିବାର ପୋଷୁଛନ୍ତି । ଘରେ ଝିଅ ମାମୁନି କବାଡି, ଫୁଟବଲ ଖେଳରେ ନିପୂଣ । ଆଗକୁ ଦେଶ ପାଇଁ ଖେଳିବ ବୋଲି ସ୍ୱପ୍ନ ରହିଛି । ହେଲେ ଆର୍ଥିକ ଅଭାବ ପ୍ରତିବନ୍ଧକ ସାଜିଛି । ତଥାପି ମାମୁନି ଆଖିରେ ଅନେକ ଅସୁମାରୀ ସ୍ୱପ୍ନ । ସାହିର କିଛି ପିଲା ବିଦେଶରେ ଫୁଟବଲ ଖେଳୁଛନ୍ତି । ସେବି ଆଗକୁ ବଢିବ ନିଜ ପରିବାରକୁ ଆଗକୁ ନେବ ଆଉ ଦେଶ ପାଇଁ ଖେଳିବ ।

ସାଲିଆ ସାହି ଦେଖିଛି ଅନେକ ସଂଘର୍ଷ । ନେତାଙ୍କ ହାତବାରିଶି ସାଜିଛି, ପୋଲିସ୍ ପାହାର ଖାଇଛି, ବଡ଼ ବଡିଆଙ୍କ ଛି ଛାକର ଓ ଅନେକଙ୍କ ଅପମାନ ସହିଛି । ହେଲେ ସଂଘର୍ଷ ଜାରି ରହିଛି । ରହିଛି ଅନେକ ସ୍ୱପ୍ନ । ସରକାର ପରେ ସରକାର ଗଢା ଚାଲିଛି । ତେବେ କଣ ଏବେକାର ଡବଲ ଇଞ୍ଜିନ ସରକାର କରିବ ସ୍ୱପ୍ନକୁ ସାକାର? କଣ ମାମୁନି ଭଳି ଝିଅଙ୍କ ପୂରଣ ହେବ ସ୍ୱପ୍ନ ? ଦି ମୁଠା ଖାଇବା,ସ୍ୱଚ୍ଛ ପିଇବା ପାଣି ଓ ଅନ୍ୟ ମୌଳିକ ସୁବିଧା ଏହି ବସ୍ତି ବାସିନ୍ଦାଙ୍କ ଭାଗ୍ୟରେ ଜୁଟିବ? ତାକୁ ଦେଖିବାକୁ ହିଁ ଅପେକ୍ଷା ।

You might also like