ସମ୍ବଲପୁର ସହର ସମେତ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ସ୍ୱାଭାବିକ ସ୍ଥିତିକୁ ଫେରୁଛି

କର୍ଫ୍ୟୁ ପରଠାରୁ ସହରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ଛାଉଣୀ । ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସମ୍ବଲପୁର ସହର ସମେତ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଧୀରେ ଧୀରେ ଫେରୁଛି ଶାନ୍ତି । କର୍ଫ୍ୟୁ ପରଠାରୁ ସହରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ଛାଉଣୀ । ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି । ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଆଜି ପୁଣି ଥରେ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଗତକାଲି ପୋଲିସ ଡିଜି ସମ୍ବଲପୁର ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ହିଂସାକାଣ୍ଡ ଓ ପୋଡାଜଳା ହୋଇଥିବା ସ୍ଥାନ ବୁଲି ଦେଖିଥିଲେ ।

ପୋଲିସ ଡିଜି ଚେତେଇ ଦେଇଥିଲେ, ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଘଟଣାରେ ଯିଏ ବି ଦାୟୀ ବାହାରିବେ, ତାଙ୍କୁ ଛଡ଼ା ଯିବନି । ସହରରେ ୪୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସହରର କେତେକ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱକୁ ବାରିକେଡ୍‌ ଦେଇ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ସକାଳେ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ଲେଖାଏ କର୍ଫ୍ୟୁ କଟକଣା କୋହଳ କରାଯାଉଛି । ହନୁମାନ ଜୟନ୍ତୀ ବାଇକ ରାଲି ଓ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ଘଟଣାରେ ପୋଲିସ ୭୯ ଜଣଙ୍କୁ ଗିରଫ କଲାଣି । ସିସିଟିଭି ଫୁଟେଜ୍‌ ଆଧାରରେ ଖୋଳତାଡ ଚାଲିଛି । ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ । .

Leave A Reply

Your email address will not be published.