ସମ୍ବଲପୁରରେ କୋର୍ଟ କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ, ସ୍ୱାଭାବିକ ଚାଲିଛି କାର୍ଯ୍ୟ

ସମ୍ବଲପୁର: ସମ୍ବଲପୁରରେ କୋର୍ଟ କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ । ଫଳରେ ସ୍ୱାଭାବିକ ହୋଇଛି ଅଦାଲତ କାର୍ଯ୍ୟ । ଦୀର୍ଘ ୬ ମାସ ପରେ କୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଆରମ୍ଭ ହୋଇଛି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି-ସିଏସି ନିଷ୍ପତ୍ତି ପରେ ଆଇନଜୀବୀମାନେ ଆଜି ଅଦାଲତ କାର୍ଯ୍ୟରେ ଯୋଗ ଦେଇଛନ୍ତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରତ ଜିଲ୍ଲା ଗୁଡ଼ିକର କେସ ଅନ୍ୟ ଜିଲ୍ଲାକୁ ତୁରନ୍ତ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ଆନ୍ଦୋଳନରତ ବାର୍‌ ଗୁଡ଼ିକର ସଭାପତି ଓ ସଂପାଦକମାନଙ୍କ ଓକିଲାତି ଲାଇସେନସ ବାତିଲ ପାଇଁ ନିର୍ଦ୍ଦେଶ ରହିଥିଲା । ଏହାକୁ ଆଖିରେ ରଖି ୫୦ ବର୍ଷର ଆନ୍ଦୋଳନ ଧୂଳିସାତ ହେବାର ଆଶଙ୍କା ଥିବାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ବସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘ ଦୀର୍ଘ ସମୟ ଆଲୋଚନା କରିବା ପରେ ସବୁ କୋର୍ଟରେ ଓକିଲମାନେ କାମ କରିବା ସହ ଆଉ କୌଣସି ସମୟରେ କୋର୍ଟ କାମ ବନ୍ଦ କରିବେ ନାହି ବୋଲି ନିଷ୍ପତ୍ତି ନେଇଥିଲେ । ଆସନ୍ତା ମାର୍ଚ୍ଚ ୩୧ରେ ପୁଣି ସିଏସି ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.