ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା, ୧୬ଲକ୍ଷ ଚୋରି ଟଙ୍କା ଓ ସୁନା ଉଦ୍ଧାର
ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା । ବୁର୍ଲା କିରବା ଅଞ୍ଚଳର ଏକ ଘରୁ ଗତ ୧୦ ତାରିଖରେ କେହି ନଥିବା ସମୟରେ ଘରେ ଥୁବା ପ୍ରାୟ ୧୬ ଲକ୍ଷ ଟଙ୍କା ଓ ୧୩୧ ଗ୍ରାମ ସୁନା, ୭୬୦ ଗ୍ରାମ ଚୋରି ହୋଇଯାଇଥିଲା । ତେବେ ବୁର୍ଲା ପୋଲିସ ଘଟଣାର ତଦନ୍ତ କରି ଆଜି ଏହି ଘଟଣା ଉପରୁ ପରଦା ଉଠାଇଛି ।
କିରବା ନିବାସୀ ପ୍ରୀତି ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ସମସ୍ତ ଟଙ୍କା ପୋଲିସ ଫେରାଇଛି । ପ୍ରୀତି ପଣ୍ଡାଙ୍କ ଘର ନିକଟରେ ରହୁଥିବା ଇନ୍ଦ୍ର ବେହେରା ଏହି ଚୋରି କରିଥିଲେ। କିନ୍ତୁ ଚୋରି ଟଙ୍କା ସେ ଖର୍ଚ୍ଚ ନକରି ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ଦେଇଥିଲେ । ପୋଲିସ ବହୁ କଷ୍ଟରେ ଇନ୍ଦ୍ରକୁ ଧରିଥିଲା । ତେବେ ପ୍ରୀତି ଏତେ ଟଙ୍କା କାହିଁକି ଘରେ ରଖିଥିଲେ ତାହା ସ୍ପଷ୍ଟ କରିନାହାନ୍ତି ।
କେବଳ ବାପାଙ୍କ ଅବସର ଟଙ୍କା ଓ ଭାଇର ମୋବାଇଲ ଦୋକାନରୁ ଲାଭ ହୋଇଥିବା ଟଙ୍କା ଘରେ ଗଛିତ କରି ରଖିଥିଲେ। ପ୍ରୀତି ମଧ୍ୟ ଏକ ଛୋଟ ଟିଫିନ ଷ୍ଟଲ ବୁର୍ଲାଠାରେ ଚଳାଉଛନ୍ତି । ତେବେ ଏମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ଥିଲେ ମଧ୍ୟ ଘରେ ଟଙ୍କା ରଖିଥିଲେ । ପରିବାର ଲୋକେ ବ୍ୟାଙ୍କକୁ ଭରଷା କରୁନଥିବାରୁ ଘରେ ଏତେ ଟଙ୍କା ରଖିଥିଲେ ବୋଲି କହିଛନ୍ତି ।