ସରକାର ବଦଳିବା ପରେ ବଦଳିଲା କ୍ରୀଡା ସଙ୍ଘର ସମୀକରଣ, ଫୁଟବଲ ସଂଘର ସଭାପତି ହେଲେ ସମୀର ଦେ

ଭୁବନେଶ୍ୱର : ସରକାର ବଦଳିବା ପରେ ବଦଳିଲା କ୍ରୀଡା ସଙ୍ଘର ସମୀକରଣ । ଫାଓର ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବଜେପି ନେତା ସମୀର ଦେ। ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସମୀର ଦେ । ଏହା ସହିତ ଆଶୀର୍ବାଦ ବେହେରା ମଧ୍ୟ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ତେବେ ଦେବାଶିଷ ସାମନ୍ତରାୟ ଦୀର୍ଘ ୫ ବର୍ଷ ଧରି ‘ଫାଓ’ର ସଭାପତି ଥିବା ବେଳେ ଆସନ୍ତା ୨୧ ତାରିଖରେ ଫାଓର ନିର୍ବାଚନରେ ମଧ୍ୟ ସେ ପୁଣି ଥରେ ଏହି ପଦ ପାଇଁ ଲଢିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପୂର୍ବରୁ ଯେଉଁ ଫୁଟବଲ କ୍ଲବ ଦେବାଶିଷ ସାମନ୍ତରାୟଙ୍କ ନାଁ ଫାଓକୁ ପଠାଇଥିଲା ସେହି କ୍ଲବ ଚଳିତଥର ତାଙ୍କ ନାଁ ଆଉ ପଠାଇଲା ନାହିଁ ।

ଅନ୍ୟପଟେ ଦେବାଶିଷ ସାମନ୍ତରାୟ ବ୍ୟକ୍ତିଗତ କାରଣରୁ ଫାଓ ରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଦେବାଶିଷ ସଭାପତି ଇସ୍ତଫା ଦେବା ପରେ ଏହି ପଦବୀରେ କିଏ ବସିବ ସେନେଇ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା । ତେବେ ଏନେଇ ଆର୍ଶୀବାଦ ବେହେରା କହିଛନ୍ତି, ‘ଆମେ ବିଜେଡି ସରକାରକୁ ସହଯୋଗ କରୁଥିଲୁ ହେଲେ ଏବେ ନୂଆ ସରକାର ଆସିଛି ଆମେ ତାଙ୍କୁ ନେଇ କ୍ରୀଡାର ବିକାଶ କରିବୁ । ବିନା ସରକାରଙ୍କ ସହାୟତାରେ କ୍ରୀଡାର ବିକାଶ ହୋଇପାରିବ ନାହିଁ’ ।