ବାଲିରେ ବାଲିରେ ବିବେକାନନ୍ଦ, ଯୁବ ଦିବସରେ ସଚେତନତାର ବାର୍ତ୍ତା ଦେଲେ ଝୁରାବାଲିର ସୌଦାଗର ସୁଦର୍ଶନ ପଟ୍ଟନାୟକ

ପୁରୀ : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ସ୍ୱାମୀ ବିବେକାନନ୍ଦଙ୍କ ସୁନ୍ଦର ପ୍ରତିମୂର୍ତ୍ତୀ ସହ ପରିବେଶ ସଚେତନତାର ବାର୍ତ୍ତା ଦିଆଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀଙ୍କୁ ଯୁବ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଯୁବକମାନେ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଆହ୍ଵାନ ଦିଆଯାଇଛି । ଯୁବ ଦିବସରେ ଗଛ ଲଗାଇ ପରିବେଶକୁ ସୁନ୍ଦର ଓ ସବୁଜ କରିବାକୁ ଏହି ବାଲୁକା କଳା ମାଧ୍ୟମରେ ନିବେଦନ କରାଯାଇଛି । ଏହି ବାଲୁକା କଳାକୁ ଦେଖିବା ପାଇଁ ବେଳାଭୂମିରେ ବହୁ ସଂଖ୍ୟାରେ କଳାପ୍ରେମୀ ଓ ପର୍ୟ୍ୟଟକ ଏକାଠି ହୋଇଥିଲେ ।
ସେହିପରି ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ବାଲୁକା କଳା ମାଧ୍ୟମରେ ଯୁବ ପିଢିଙ୍କୁ ଦେଇଛନ୍ତି ଏକ ସୁନ୍ଦର ବାର୍ତ୍ତା । ପରିବେଶ ସୁରକ୍ଷା ସାଙ୍ଗକୁ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଛନ୍ତି ଯୁବପିଢିଙ୍କୁ । ବ୍ରହ୍ମପୁର ସରକାରୀ ଶଶୀଭୂଷଣ ମହିଳା ମହାବିଦ୍ୟାଳୟ ପରିସରରେ ଏହି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିବା ବେଳେ ବହୁ ଛାତ୍ରୀ ଏହି କଳାକୃତିକୁ ଦେଖିବା ଲାଗି ଭିଡ଼ ଜମାଉଛନ୍ତି ।