ଥମୁନି ବାଲି ମାଫିଆଙ୍କ ଦାଦାଗିରି, ପଥରରେ ଯୁବକଙ୍କ ମୁଣ୍ଡକୁ ଛେଚି କଲେ ଲହୁଲୁହାଣ
ଉଦଳା : ବାଲି ମାଫିଆଙ୍କ ପୁଣି ଦାଦାଗିରି । ସପ୍ତାହେ ପୂର୍ବରୁ ବେଆଇନ ବାଲି ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ବାଲି ମାଫିଆ ଆକ୍ରମଣ କରିଥିଲେ । ଘଟଣାକୁ ସପ୍ତାହେ ବିତି ନ ଥିବା ବେଳେ ପୁଣି ଥରେ କପ୍ତିପଦା ଥାନା ଅଞ୍ଚଳରୁ ଆସିଛି ବାଲି ମାଫିଆଙ୍କ ଦାଦାଗିରିର ଘଟଣା । ବାଲି ମାଫିଆ ଜଣେ ଯୁବକଙ୍କୁ ଗାଁ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି । ପଥରରେ ଯୁବକଙ୍କ ମୁଣ୍ଡକୁ ଛେଚି ଲହୁଲୁହାଣ କରିଛନ୍ତି।
ସୂଚନା ଅନୁସାରେ ଗତକାଲି ରାତିରେ ବାଲି ମାଫିଆମାନେ ବଜରପୁର ବାଲି ଘାଟରୁ ଚୋରା ବାଲି ଚାଲାଣ କରୁଥିଲେ । ଚୋରା ଚାଲାଣ କରୁଥିବା ଦ୍ରୁତଗତିରେ ଟ୍ରାକ୍ଟର ଗୁଡିକ ଗାଁ ଭିତରେ ଯାଉଥିଲା । ଗାଁର ଯୁବକ ମାନସ କୁମାର ସାହୁ ଟ୍ରାକ୍ଟର ଅଟକାଇ ଦ୍ରୁତଗତିରେ ଚଳାଇବା ପାଇଁ ମନା କରିଥିଲେ । ଏହାକୁ ନେଇ ତାତିଥିଲେ ବାଲି ମାଫିଆ । ୪ ରୁ ୫ ମାଫିଆ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇ ଥିଲେ । ଫଳରେ ମାନସଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ତାଙ୍କୁ ଗୁରୁତର ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସ୍ବାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି ।