ଖଣିବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ

ଆନନ୍ଦପୁର: ଥାନା ପରିସରରେ ଥୁଆ ହୋଇଛି ବୋଲେରୋ । ହେଲେ ଗାଡିକୁ ଏମିତି ଭାଙ୍ଗିଲା କିଏ? ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି ଘଟଣା । କେନ୍ଦୁଝର ଜିଲ୍ଲା ଖଣିବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ । ଯାହା ପରର ପରିଣତି ଆପଣଙ୍କ ସାମ୍ନାରେ ।

ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ ମାମଲା । ଦିନ କଣ ରାତି କଣ ଅପରାଧ କରିବାକୁ ପଛାଉ ନାହାନ୍ତି ଅପରାଧି ମାନେ । ନା ଅଛି ପୋଲିସର ଭୟ ନା ଅଛି କାନୁନର ଭୟ । ନିର୍ଭୟରେ ଅପରାଧିକ କାର୍ଯ୍ୟ କରିଚାଲିଛନ୍ତି ଅପରାଧି । ଆଉ ସମୟ ପଡିଲେ ଏମିତି ଆଇନକୁ ହାତକୁ ନେବାକୁ ବି ଭୁଲୁ ନାହାନ୍ତି ।

ତେବେ ଯାହା ଖବର ମିଳିଛି କି, ଗତକାଲି ବିଳମ୍ବିତ ରାତିରେ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ, ୩ଜଣ ସୁରକ୍ଷାକର୍ମୀଙ୍କୁ ଧରି ଆନନ୍ଦପୁର ଅଞ୍ଚଳରରେ ଚାଲିଥିବା ଚୋରା ବାଲି ଧରପକଡ ପାଇଁ ବାରିଥିଲେ । ସେହି ସମୟରେ ତାଙ୍କ ଟିମ୍ ଉପରେ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଘଷିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସୁଡୁସୁଡ଼ିଆ ଛକ ଠାରେ ତାଙ୍କ ଗାଡିକୁ ପିଛା କରି ଅଟକାଇଥିଲେ କିଛି ଦୁର୍ବୁତ୍ତ । ଏହାପରେ ଲୁହା ପାଇପ୍ ରେ ଗାଡି କାଚ ସବୁ ଭାଙ୍ଗିବା ସହ ଗାଡି ଭିତରେ ବସିଥିବା ଖଣି ଅଧିକାରୀ ସୁରଜ ହେମ୍ବ୍ରମଙ୍କ ସହ ସୁରକ୍ଷାକର୍ମୀ ଓ ଡ୍ରାଇଭରକୁ ମାରି ଲହୁଲୁହାଣ କରିଥିଲେ ।

ତେବେ ଚଢାଉ ପାଇଁ ଖଣି ଅଧିକାରୀ ଜଣକ ଗତକାଲି କେନ୍ଦୁଝର କାର୍ଯ୍ୟାଳୟ ଠାରୁ ବାହାରି ପ୍ରଥମେ ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ। ସେହି ଠାରୁ ହିଁ ୨ଟି ଗାଡି ତାଙ୍କୁ ଵଂବ୍କ କରିଥିଲା । ପରେ ସେ ଆନନ୍ଦପୁର ପହଁଞ୍ଚିବା ପରେ ପ୍ରଥମେ ବୈତରଣୀ ବ୍ରିଜ୍ ପାରି ହୋଇ ଆନନ୍ଦପୁର କଲେଜ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଫେରି ଆନନ୍ଦପୁର ବସଷ୍ଟାଣ୍ଡ ଦେଇ ଘଷିପୁରା ପଟକୁ ଫେରିବା ସମୟରେ ଆନନ୍ଦପୁର ବ୍ରିଜ୍ ଛକ ଠାରେ ଥିବା ଆଉ ୫-୬ଟି ୪ଚକିଆରେ କିଛି ଦୁର୍ବୁତ୍ତ ପୁଣି ତାଙ୍କୁ ପିଛା କରିଥିଲେ ।

ବ୍ରିଜ ପାରି ହେବାପରେ ଗାଡି ସ୍ଲୋ ହେବାର ସୁଯୋଗ ନେଇ ତାଙ୍କ ଗାଡି ଆଗରେ ଗାଡି ରଖି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତମାନେ । ଆହତ ଅବସ୍ଥାରେ ସମସ୍ତ ୫ଜଣ ସ୍କ୍ୱାର୍ଡ ସଦସ୍ୟ ଘସିପୁରା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଆକ୍ରମଣକାରୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି । ଏଭଳି ଏକ ଘଟଣା ଏବେ ସମଗ୍ର ଆନନ୍ଦପୁରରେ ଚର୍ଚ୍ଚାର ବିଷୟ ପାଲିଟିଥିବାବେଳେ, ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଯୋର୍ ଧରିଛି ।