ବାଲି ମାଫିଆଙ୍କ ଦବଙ୍ଗଗିରି, ଖସାଇ ନେଇଗଲେ ବାଲି ବୋଝେଇ ଟ୍ରାକ୍ଟର

ଉଦଳା: ବାଲି ମାଫିଆଙ୍କ ଗୁଣ୍ଡାରାଜ । ନଦୀରେ ରଖାଇ ଦେଉ ନାହାଁନ୍ତି ବାଲି । ରାତି ଦିନ ଏକାଠି କରି ଚଳାଇଛନ୍ତି କାରବାର । ଏହି ମାଫିଆ ମାନେ ବାଲି ଚୋରା ଚାଲାଣ କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ରାତି ଦିନ କିଛି ଖାତିର୍ କରୁ ନାହାଁନ୍ତି । ଏମାନେ କିଛି ବି କରୁଛନ୍ତି ଯେମିତି ପୋଲିସ ହାତରେ ଧରା ନପଡ଼ିବେ । ପୁଣି ପ୍ରଶାସନ ହାତ ପାହାନ୍ତରୁ ଖସାଇ ନେଇଛନ୍ତି ବାଲି ଟ୍ରାକ୍ଟର ।

ହଁ ଆଜ୍ଞା, ଦିନ ଦ୍ବିପହରରେ ନଦୀରୁ ବାଲି ଉଠାଇ ଟ୍ରାକ୍ଟରରେ ଭର୍ତ୍ତି କରି ନେଉଥିଲେ ବାଲି ମାଫିଆ । ଠିକ୍ ସେହି ସମୟରେ ବାଇକରେ ଆସି ବେଆଇନ ବାଲିଘାଟ ଭିତରେ ପଶିଲେ ଆଉ ବାଲି ଗାଡି ଜବତ କରିଥିଲେ ତହସିଲଦାର । ଅତିରିକ୍ତ ତହସିଲଦାରଙ୍କୁ ଦେଖି ବାଲି ମାଫିଆ ଛାନିଆ ହୋଇଯାଇଥିଲେ । କଣ କରିବେ ଜୀବନ ନେଇ ଖସିବାକୁ ଚେଷ୍ଟା କରିଥିଲେ । ୩ ଗୋଟି ଟ୍ରାକ୍ଟରରୁ ଗୋଟିଏ ଟ୍ରାକ୍ଟର ଇଂଜିନ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଆଉ ୨ ଗୋଟି ଟ୍ରାକ୍ଟର ଛାଡି ଖସିଗଲେ ମାଫିଆ। ଏଭଳି ଘଟଣା ଘଟିଛି କପ୍ତିପଦା ତହସିଲ ଶୁଣ୍ଢଳ ଗାଁରେ ।

ଶୁଣ୍ଢଳ ଗାଁରେ ପ୍ରବାହିତ ସୋନ ନଦୀରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ କପ୍ତିପଦା ଅତିରିକ୍ତ ତହସିଲଦାର ଘାଟରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ୩ ଗୋଟି ଟ୍ରାକ୍ଟରରେ ବେଆଇନ ବାଲି ଲୋଡ଼ ଚାଲିଥିବା ବେଳେ ଅଧିକାରୀଙ୍କୁ ଦେଖି ମାଫିଆମାନେ ଟ୍ରାକ୍ଟର ଖସାଇ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଟିଏ ଟ୍ରାକ୍ଟର ଓଲଟି ଯିବାରୁ ତାର ଡାଲାକୁ ଛାଡି ଇଂଜିନ ନେଇ ମାଫିଆ ଫେରାର ହୋଇଥିବା ବେଳେ ଆଉ ଏକ ଟ୍ରାକ୍ଟର ଖସାଇ ନେବା ବେଳେ ବାଲିରେ ଫସି ଯାଇଥିଲା । ଯାହା ଫଳରେ ମାଫିଆମାନେ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲେ । ୧୫ ରୁ ଅଧିକ ମାଫିଆ ଖସିଯିବା ସହ ଗୋଟିଏ ଟ୍ରାକ୍ଟର ଖସାଇ ନେଇଥିଲେ । ତହସିଲ ପ୍ରଶାସନ ୨ ଗୋଟି ଟ୍ରାକ୍ଟର ଏବଂ ଗୋଟିଏ ଡାଲା ଜବତ କରିଛି । ଜବତ ଟ୍ରାକ୍ଟର ଗୁଡିକ ନମ୍ବର ବିହୀନ ।

Also Read:ସ୍ୱାମୀଙ୍କୁ ଛାଡ଼ି ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ବାହାହେଲେ ତିନି ଛୁଆର ମା