ବେଆଇନ ଭାବେ ବାଲି ଘାଟ ଖୋଲି ଶହ ଶହ ଟ୍ରିପ୍ ବାଲି ହେଉଛି ଚୋରା ଚାଲାଣ
ବାଙ୍କୀ: ତହସିଲ ପକ୍ଷରୁ ବାଲିଘାଟ ନିଲାମ ନେଇଥିବା ସ୍ଥାନରୁ ବାଲି ଉଠାଣ ନକରି ନିଲାମଧାରୀ ନିଜ ଇଚ୍ଛାରେ ମହାନଦୀର ବନ୍ଧକୁ ଭାଙ୍ଗି ବେଧଡକ ଭାବେ ବାଲି ଅନ୍ୟ ଏକ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଉଠାଉଥିବା ନେଇ ଆସିଛି ଅଭିଯୋଗ । ନିଲାମ୍ ନେବା ବେଳେ ଚୁକ୍ତି କରିଥିବା ନିୟମକୁ ଖୋଲା ଖୋଲି ଉଲଙ୍ଘନ । ନା ପୋଲିସ୍ ନା ତହସିଲଦାର କେହି ପଦକ୍ଷେପ ନେଉ ନ ଥିବାରୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି।
କଟକ ଜିଲ୍ଲାର ବାଙ୍କୀ ତହସିଲ ଅନ୍ତର୍ଗତ ମହାନଦୀ ର ଓସ୍ତିଆ ବାଲିଘାଟ ଓସ୍ତିଆ ଗ୍ରାମର ପଟୁଗଦାଧରପୁର୍ ମୌଜାର ପ୍ଲଟ ନମ୍ବର ୧ । ମୋଟ ୧୨ଏକର ୩୫ ଡିସିମିଲ ସ୍ଥାନରୁ ପାଞ୍ଚ ବର୍ଷୀୟା ବାଲି ଉଠାଣ ପାଇଁ ନିଲାମଧାରୀ ଚୁକ୍ତିନାମା କରିଛନ୍ତି । କିନ୍ତୁ ଏବେ ସେ ସେହି ସ୍ଥାନରୁ ଉଠାଣ କରୁନାହାନ୍ତି । ଓସ୍ତିଆ ଘାଟରୁ ବାଲି ନ ଉଠାଇ ସୁବର୍ଣ୍ଣପୁର ଗ୍ରାମ ପଞ୍ଚାୟତର ମହାନଦୀ ବନ୍ଧକୁ ଭାଙ୍ଗି ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି । ପୁଣି ଦିନ ବେଳା ବାଲି ଉଠାଣ ପାଇଁ ଅନୁମତି ମିଳି ନଥିବାବେଳେ, ସେ କିନ୍ତୁ ଦିନ ଦ୍ୱିପ୍ରହରରେ ଜେସିବି ମେସିନ ସାହାଯ୍ୟରେ ବାଲି ଉଠାଣ କରୁଛନ୍ତି । ଯାହାକୁ ନେଇ ଓସ୍ତିଆ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି।
ମହାନଦୀର ଯେଉଁ ସ୍ଥାନରେ ନିଲାମଧାରୀ ବନ୍ଧ ଭାଙ୍ଗିଛନ୍ତି ସେହି ସ୍ଥାନରେ ବର୍ଷା ଦିନେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସମୟରେ ପାଣି ମାଡ଼ି ଆସିବାରୁ ଓସ୍ତିଆ, ଆନନ୍ଦପୁର, ବିଷ୍ଣୁପୁର ସହିତ ସୁବର୍ଣ୍ଣପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଏବେ ବନ୍ଧକୁ କଟା ଯିବାରୁ ନିଶ୍ଚିତ ବନ୍ୟା ଜଳ ପ୍ରବେଶ କରିବ । ଯାହାଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡି ରହିବ ।
ଏପଟେ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶିବା ଟପୋ ବାଙ୍କୀ ଗ୍ରସ୍ତରେ ଆସିଥିବା ବେଳେ ଏହି ଘଟଣାକୁ ନେଇ ସେ କହିଛନ୍ତି ବାଲିଘାଟ ସବୁ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଅଛି । ତଥାପି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ରାତିରେ ବେଆଇନ୍ ଭାବେ ନିଜ ସୁବିଧା ପାଇଁ କରିଥିବା ବାଲିଘାଟକୁ ବନ୍ଦ କରିବା ସହିତ ବାଲି ଘାଟ ନିଲାମଧାରୀଙ୍କୁ ଏଗ୍ରୀମେଣ୍ଟକୁ ବାତିଲ କରିବାକୁ ଦାବି ଜୋର ଧରିଛି।