ମହାନଦୀ ଉପରେ ଥିବା ସେତୁ ତଳୁ ଚାଲିଛି ଏହି ବାଲି ଚୋରା ଚାଲାଣ

ବାଙ୍କୀ: ମହାନଦୀରୁ ବେଧଡକ ଭାବେ ବାଲି ଉଠାଉଛନ୍ତି ମାଫିଆ । ମହାନଦୀ ଉପରେ ଥିବା ସେତୁ ତଳୁ ଚାଲିଛି ଏହି ବାଲି ଚୋରା ଚାଲାଣ । ଯାହାଫଳରେ ସେତୁ ଦୁର୍ବଳ ହୋଇ ପଡ଼ିବା ନେଇ ଆସିଛି ଅଭିଯୋଗ । ଖୁବ୍ କମ୍ ଦିନ ଭିତରେ ଭୁଶୁଡିବ ପଡିବ କି ହାଇ ଲେବଲ ଟି ସେତୁ? କାହିଁକି ନା ଖୁଣ୍ଟତଳୁ ଚାଲିଛି ବାଲି ଚୋରା ଚାଲାଣ । ବାଙ୍କୀ ବ୍ଲକର ବୈଦେଶ୍ୱର ପଟୁ ମାଫିଆମାନେ ବାଲି ବୋହିବାରେ ଲାଗିଛନ୍ତି । ଦିନ ଦ୍ଵିପ୍ରହରରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ବାଲି ଚୋରା ଚାଲାଣ କରୁଛନ୍ତି। ଖୁଣ୍ଟତଳୁ ବାଲି ଉଠାଣ ହେଉଥିବାରୁ ସେତୁର ସ୍ଥାୟୀତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ସେତୁ ଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ପାଞ୍ଚ ବର୍ଷିଆ ଲିଜ୍ ଦିଆଯାଇଥିବା ସତ୍ୱେ କିଛି ମାଫିଆ ଶହ ଶହ ଟ୍ରିପ୍ ବାଲି ବାହାର ରାଜ୍ୟକୁ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବୈଦେଶ୍ୱର ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ବେଆଇନ କାମ ଚାଲିଥିବା ବେଳେ ପୋଲିସ କିପରି ଜାଣି ପାରୁ ନାହିଁ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ମହାନଦୀରୁ ଏବେ ରଜୀବ ଓ ସାଁପୁର ଗାଁ ନିକଟରୁ ଚୋରାରେ ଉଠୁଛି ବାଲି । ସେହିପରି ଓସ୍ତିଆ ବାଲିଘାଟ ଓସ୍ତିଆରେ ନ ହୋଇ ସୁବର୍ଣ୍ଣପୁରରେ କରାଯାଇ ବେଧଡକ ବାଲି ଉଠାଣ ହେଉଛି । ହେଲେ ମାଫିଆଙ୍କ ନାଲିଆଖି ଆଗରେ ସମସ୍ତେ ଚୁପ୍ ।

ତେଣେ ବେଆଇନ ବାଲି ଉଠାଣ ଅଞ୍ଚଳରେ ୧୬୩ ଧାରା ଲାଗୁ କରି ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ପାଇଁ ବାଙ୍କୀ ଉପଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ମଣିଷ ନିଜର ସ୍ୱାର୍ଥ ପାଇଁ ନିଜର ଆବଶ୍ୟକତା ପୂରଣ ପାଇଁ ସବୁ କିଛି କରିବାକୁ ପ୍ରସ୍ତତ । ଯାହାର ପ୍ରଭାବରେ ବଡ଼ ବଡ଼ କ୍ଷତି ସହିବାକୁ ପଡୁଛି ସମସ୍ତଙ୍କୁ । ମହାନଦୀ ଉପରେ ଥିବା ସେତୁ ତଳୁ ବାଲି ଚୋରା ଚାଲାଣ ଯୋଗୁଁ କତେବେଳେ ଯେ ଭୁଶୁଡି ପଡିବ ସେତୁ ତାକୁ ହିଁ ଅପେକ୍ଷା । .ତେଣୁ ଅଘଟଣ ପୂର୍ବରୁ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଏ ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି ଯୋର ଧରିଛି ।

 

You might also like