ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସାହାଯ୍ୟ ଅପେକ୍ଷାରେ ସଞ୍ଜୟ

କାହିଁ ଗୋଆ କାହିଁ ଗୁଜୁରାଟ ଦାଦନ ଖଟି ଯାଉଥିଲି । ଯାହା କିଛି ଆଣୁଥିଲି ସେଥିରେ ମୋ ପରିବାର ଚଳୁଥିଲା । ଏବେ ମୁଁ ଏ ବିଛଣାରେ ପଡ଼ି ଯନ୍ତ୍ରଣାରେ ପଡ଼ି ଛଟ ପଟ ହେଉଛି ସରକାର ଯଦି କିଛି ସାହାଯ୍ୟ କରନ୍ତେ ମୋ ଛୁଆ ଦୁଇଟାଙ୍କ ଭବିଷ୍ୟତ ଗଢ଼ି ପାରନ୍ତେ । ଏମିତି କହୁଛନ୍ତି ଜଣେ ୨ ଝିଅର ଅସହାୟ ବାପା ।
ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ବ୍ଲକ ବରଙ୍ଗାକଛାର ଭେଲୁଆଁବାହାଲରେ । ଏକ ନୂଆଁଣିଆ ଚାଳ ଛପର, ଅଧ କାନ୍ଥରେ ଛପର ଅଛି ଅଧେରେ ନାହିଁ ତାରି ଭିତରେ କଟୁଛି ପାରାଲିସିସ ରୋଗୀ ସଞ୍ଜୟଙ୍କ ସମେତ ଚାରି ଜଣଙ୍କ ଜୀବନ । ଚାରି ପ୍ରାଣୀଙ୍କୁ ନେଇ ତାଙ୍କ ସଂସାର। ହେଲେ ସଞ୍ଜୟଙ୍କୁ ପାରାଲିସିସ ହେବା ପରେ ଚାରି ପ୍ରାଣୀଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। ସଞ୍ଜୟ ୨୦୧୯ରେ ସଦର ବ୍ଲକ ମଝାପଡ଼ା ତେଲିମାଲର ଆଗୋଷ୍ଟିନା ହେମ୍ରମଙ୍କୁ ନିଜ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ । ୨୦୨୦ ମାର୍ଚ୍ଚ ୬ ରେ ଦୁଇଟି ଯାଆଁଳା ଝିଅ ଜନ୍ମ ହେଲା। ତାର ଠିକ୍ ୬ ମାସ ପରେ ସଞ୍ଜୟ ପାରାଲିସିସ ରୋଗରେ ଆକ୍ରାନ୍ତ ହେଲେ। ପାଖରେ ବନ୍ଧୁ ବାନ୍ଧବ କେହି ନାହାନ୍ତି,ସାନ ଭାଇ ନିଜ ପରିବାର ସହ ଅନ୍ୟତ୍ର ରହୁଛି ।
ସଞ୍ଜୟଙ୍କୁ ପାରାଲିସିସ ହେବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ଆଗୋଷ୍ଟିନା, ଛଅ ମାସର ଦୁଇ ଦୁଇଟି କଅଁଳ ଝିଅର ବୋଝ ମୁଣ୍ଡାଇବେ କି ସ୍ୱାମୀର ଚିକିତ୍ସା କରାଇବେ । ତଥାପି ଦୁଇ ଝିଅକୁ କୋଳରେ କାଖେଇ ଗାଁ ଲୋକଙ୍କୁ ଓ ବନ୍ଧୁ ବାନ୍ଧବଙ୍କ ଠାରୁ ଧାର କରଜ କରି ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ତାଙ୍କୁ ବୁର୍ଲା ପଠାଇ ଦେଇଥିଲା,ବୁର୍ଲାରେ କିଛି ଦିନ ଚିକିତ୍ସିତ ହେଲା ପରେ ଡାକ୍ତର ଘରକୁ ପଠେଇ ଦେଇଥିଲେ। ତଥାପି ହାର ମାନି ନଥିଲେ ସ୍ତ୍ରୀ ଆଗୋଷ୍ଟିନା । ଗାଁ ଗାଁ କୁ ଯାଇ ମୂଲ ଲାଗୁଥିଲେ ସେଥିରୁ ଯାହା ପାଉଥିଲେ ସେଥିରେ ତେଲ ଲୁଣ ସଂସାର ଚଳାଇ ଆସୁଥିଲେ। ଜମିବାଡ଼ି କହିଲେ ଦୁଇ ଭାଇରେ ମାତ୍ର ଦେଢ଼ ଏକର ଜମି।
ଅନ୍ୟପଟେ ବାପାଙ୍କ ଏପରି ପରିସ୍ଥିତି ଦେଖି ଦୁଇ ଝିଅର ଅବସ୍ଥା କହିଲେ ନସରେ। ସ୍ତ୍ରୀ ଆଗୋଷ୍ଟିନାଙ୍କ ଇଚ୍ଛା ଯେ ଦୁଇ ଝିଅଙ୍କୁ ଯେ କୌଣସି ପ୍ରକାରରେ ପାଠ ପଢାଇ ଭଲ ମଣିଷ କରି ଗଢି ତୋଳିବାକୁ ,ହେଲେ ଭାଗ୍ୟର ବିଡମ୍ବନା। ଅନ୍ୟପଟେ ରୋଗୀଣା ସଞ୍ଜୟ ହାତ ଯୋଡ଼ି ଗୁହାରି କରୁଛି ହେ ସରକାର ମତେ ଭଲ କରିଦିଅ ମୁଁ ବଞ୍ଚିବାକୁ ଚାହେଁ, ମୋର ଦୁଇ ଝିଅକୁ ପାଠ ପଢାଇବି,ଭଲ ମଣିଷ କରିବି,ହେଲେ ବିଧାତାଙ୍କ ଇଚ୍ଛା ଯାହା….।
ସରକାର ସ୍ବାସ୍ଥ୍ୟ ସେବା ରୁ କେହି ବଞ୍ଚିତ ରହିବେନି ବୋଲି ଅନେକ ଯୋଜନା କରୁଛନ୍ତି ସତ ହେଲେ ସଞ୍ଜୟଙ୍କ କ୍ଷେତ୍ରରେ ଏ ସମ୍ବେଦନଶୀଳ ପରିସ୍ଥିତି କାହିଁକି। ସରକାରଙ୍କ ସାହାଯ୍ୟ ଓ ସହଯୋଗକୁ ଚାତକ ପରି ଚାହିଁ ରହିଛନ୍ତି । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
Also Read:ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ତୁଳସୀ ଗଣନାଟ୍ୟର ଅଭିନେତା ଆହତ, କାର୍ ଚାଳକ ଗୁରୁତର