ଆସନ୍ତାକାଲି କିଟ୍‌ ଆସୁଛନ୍ତି ଶଙ୍କରାଚାର୍ଯ୍ୟ, ଉଦ୍‌ଘାଟନ କରିବେ କିଟ୍‌ର ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର

କିଟ୍‌ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାରକୁ ଆସନ୍ତାକାଲି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଉଦ୍‌ଘାଟନ କରିବେ । ଏଥିସହ ଶ୍ରୀବାଣୀ କ୍ଷେତ୍ର ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସଂଧ୍ୟାରେ ଶ୍ରୀବାଣୀ କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ଏକ ବିରାଟ ଧର୍ମସଭାରେ ଶଙ୍କରାଚାର୍ଯ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ପୂର୍ବେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କିଟ୍‌ ଓ କିସ୍‌ରେ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ କ୍ରମେ କିଟ୍‌ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ଶ୍ରୀବାଣୀ କ୍ଷେତ୍ରରେ ଏହି ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯାଇଛି । ନିକଟରେ ଡକ୍ଟର ସାମନ୍ତ ଏହି ଗ୍ରନ୍ଥାଗାରକୁ ଉଦଘାଟନ କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ । ଡକ୍ଟର ସାମନ୍ତଙ୍କ ଅନୁରୋଧ ରକ୍ଷା କରି ଶଙ୍କରାଚାର୍ଯ୍ୟ ଏଥିପାଇଁ ସମ୍ମତି ଜଣାଇଛନ୍ତି ।

ସର୍ବସାଧାରଣଙ୍କ ନିମନ୍ତେ ଏହି ଗନ୍ଥାଗାର ସ୍ଥାପନା କରାଯାଇଛି । ଏଠାରେ ବିଭିନ୍ନ ଧର୍ମଗ୍ରନ୍ଥ ଓ ଧର୍ମ ପୁସ୍ତକ ସ୍ଥାନ ପାଇବ । ସର୍ବସାଧାରଣ ଏହିସବୁ ଗ୍ରନ୍ଥ ପଢିବାର ସୁଯୋଗ ପାଇବେ । ଏହା ବ୍ୟତୀତ ଶଙ୍କରାଚାର୍ଯ୍ୟ କିଟ୍‌ ଡେଣ୍ଟାଲ କଲେଜ ଓ କିମସ୍‌ ପରିଦର୍ଶନ କରି ଏଠାରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସୁବିଧା ସଂପର୍କରେ ବଝିବେ । ଶ୍ରୀବାଣୀକ୍ଷେତ୍ରଠାରେ ଥିବା ଆଧ୍ୟାତ୍ମିକ କୁଟୀରରେ ଶଙ୍କରାଚାର୍ଯ୍ୟ ରାତ୍ରି ଯାପନ କରିବାର ବନ୍ଦୋବସ୍ତ କରାଯାଇଛି । ଶ୍ରୀବାଣୀ କ୍ଷେତ୍ରଠାରେ ୫ଟି ଆଧ୍ୟାତ୍ମିକ କୁଟୀର ସାଧୁସନ୍ଥ ନିମନ୍ତେ ନିର୍ମାଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ଗସ୍ତ ନିମନ୍ତେ ଏଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଶଙ୍କରଚାର୍ଯ୍ୟଙ୍କ ଗସ୍ତ ଅବସରରେ ଶ୍ରୀବାଣୀ କ୍ଷେତ୍ର ଚଳଚଞ୍ଚଳ ହୋଇ ଆସୁଛି ।

ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋବକୁ ଥିବା ଧର୍ମସଭା ଓ ସାଧୁ ସମ୍ମିଳନୀରେ ଭୁବନେଶ୍ୱର ୟୁନିଟ-୧ ଶ୍ରୀରାମ ମନ୍ଦିରର ସଭାପତି ବାବା ରାମ ନାରାୟଣ ଦାସ ମହାରାଜ, ଖଣ୍ଡଗିରିସ୍ଥିତ ସ୍ୱାମୀ ଶିବାନନ୍ଦ ଶତବାର୍ଷିକୀ ହାଇସ୍କୁଲର ସଂପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ, ଯୁଗ୍ମ ସଂପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।