ଟାଙ୍ଗୀ: ଘଞ୍ଚ ଅରଣ୍ୟରେ ବାସ କରନ୍ତି ମା’ ବୋଇତରାଣୀ ଠାକୁରାଣୀ । କିନ୍ତୁ ବିପଦ ପଡିଲେ ଗାଁ ଠାରୁ ସହରର ଭକ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଆଶିଷ ପାଇଁ ଘଞ୍ଚ ଅରଣ୍ୟକୁ ଧାଇଁ ଆସନ୍ତି । କାହିଁକି ନା ମା’ଙ୍କ ଆଶିଷ ମିଳିଲେ ସବୁ ଦୁଃଖ କଷ୍ଟ କ୍ଷଣିକରେ ଦୂର ହୋଇଯାଏ । ଏଭଳି ଆସ୍ଥା ଓ ବିଶ୍ୱାସକୁ ନେଇ ଅଞ୍ଚଳବାସୀଙ୍କ ସହଯୋଗରେ ଆଜକୁ ଦୀର୍ଘ ୩୩ ବର୍ଷ ଧରି ପ୍ରତିବର୍ଷ ମା’ଙ୍କ ପୀଠରେ ଜଗତ କଲ୍ୟାଣ ପାଇଁ ହୋଇଆସୁଛି ସପ୍ତସତୀ ମହା ବିଶ୍ୱଶାନ୍ତି ମହାଯଜ୍ଞ । କୁହୁଡି, କୁଞ୍ଜୁରୀ, ରତନପୁର, ସୋରଣ, ମାନସିଂହପୁର, ପାରିଓରଡ଼ ସମେତ ଆଖପାଖ ଅଞ୍ଚଳର ଶହଶହ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଯଜ୍ଞନୁଷ୍ଠାନରେ ଉପସ୍ଥିତ ରହି ମାତୃ କୃପା ଲାଭକରନ୍ତି ।
ଖୋର୍ଦ୍ଧା ଜିଲ୍ଲା କୁହୁଡିଗଡ଼ର ଇତିହାସ ବହୁ ପ୍ରାଚୀନ । ପୂର୍ବ ଦିଗରେ ବିସ୍ତିର୍ଣ୍ଣ ଚିଲିକା ଓ ପଶ୍ଚିମ ଦିଗରେ ଘଞ୍ଚ ଅରଣ୍ୟ । ଏହାରି ମଧ୍ୟରେ ଅବସ୍ଥିତ କୁହୁଡିଗଡ଼ । ସମୟ ଚକ୍ରରେ କୁହୁଡି ଗଡ଼ରେ ଆଉ ସେ ରାଜବାଟି ନାହିଁ ସତ। କିନ୍ତୁ ଏଠାରେ ଅନେକ ଲୋକକଥା ରହିଛି । ଲୋକକଥା ଅଛି କୁଞ୍ଜୁରୀ ଜଙ୍ଗଲ ମଧ୍ୟରେ ଏକ ବିରାଟକାୟ ଓଲଟା ବୋଇତ ସଦ୍ରୁଶ ପାହାଡ଼ ଦଣ୍ଡାୟମାନ । କୁହୁଡି ଆଖପାଖ ଅଞ୍ଚଳର ବହୁ ଚାଷୀ ଓ ଗରିବ ପରିବାରର ଲୋକମାନେ ନିଜର ଗୁରୁରାଣ ମେଣ୍ଟେଇବା ପାଇଁ ଜଙ୍ଗଲକୁ ଯାଇ ଶଗଡ଼ ଓ ସାଇକେଲ ଯୋଗେ ଜାଳେଣି ସଂଗ୍ରହ କରି ଆଣୁଥିଲେ । ସେମାନେ ପର୍ବତ ପାଦଦେଶ ବାଉଁଶ ମୂଳରେ ଥିବା ମା’ ବୋଇତରାଣୀଙ୍କୁ ପୂଜାର୍ଚ୍ଚନା କରୁଥିଲେ । ଏପରିକି ଜଙ୍ଗଲ ମଧ୍ୟରେ କୌଣସି ବିପଦଆପଦ ଆସିଲେ ମା’ଙ୍କୁ ସୁମରୁଥିଲେ । ମା’ଙ୍କୁ ସ୍ମରଣ କରିବା ମାତ୍ରେ ସବୁ ବିପଦ ଟଳି ଯାଉଥିଲା ବୋଲି କୁହନ୍ତି ସ୍ଥାନୀୟ ଲୋକମାନେ । ସେଥିପାଇଁ ତ ଆଜିବି ଯେକୌଣସି ବିପଦ ପଡିଲେ ମା’ଙ୍କ ସରଣାପନ୍ନ ହୁଅନ୍ତି ଅଞ୍ଚଳବାସୀ ।
ମା’ଙ୍କ କୃପା ଓ ସ୍ଥାନୀୟ ଅଞ୍ଚଳର ସହଯୋଗରେ, ବାଉଁଶ ବୁଦାରେ ପୂଜା ପାଉଥିବା ମା’ଙ୍କ ସ୍ଥାୟୀ ମନ୍ଦିର ନିର୍ମାଣ ହୋଇଛି । ଦୀର୍ଘ ୩୩ ବର୍ଷ ଧରି ଏଠାରେ ଲଗାତାର ପ୍ରତିବର୍ଷ ସପ୍ତସତୀ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏଠାରେ ଗୋଟିଏ ମନ୍ଦିରରେ ସପ୍ତସତୀ ଠାକୁରାଣୀମାନେ ପୂଜା ପାଆନ୍ତି । ଏଭଳି ମନ୍ଦିର ଦେଖିବାକୁ ବିରଳ । କୁହୁଡି, କୁଞ୍ଜୁରୀ, ରତନପୁର, ସୋରଣ, ମାନସିଂହପୁର, ପାରିଓରଡ଼ ସମେତ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ମା’ଙ୍କ ଯଜ୍ଞନୁଷ୍ଠାନରେ ଉପସ୍ଥିତ ରହି ମାତୃ କୃପା ଲାଭ କରନ୍ତି । ଏହା ସହ ଆନନ୍ଦ ବଜାରରେ ପ୍ରସାଦ ସେବନ କରନ୍ତି । କିନ୍ତୁ ମା’ଙ୍କ ପୀଠରେ ରହିଛି ଅନେକ ସମସ୍ୟା । ତେଣୁ ମା’ଙ୍କ ପୀଠକୁ ଯିବା ପାଇଁ ସ୍ଥାୟୀ ରାସ୍ତା ସହ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସତରେ ଆମ ଓଡ଼ିଶାରେ ଏଭଳି ଅନେକ ଲୁକ୍କାୟିତ ପୀଠ ସ୍ଥଳୀ ରହିଛି । ଯାହାକୁ ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ସେଠାରେ ମୌଳିକ ସୁବିଧା ଯୋଗାଇଦେଲେ, ଆମ ରାଜ୍ୟରେ ପର୍ଯଟନସ୍ଥଳୀ ଗୁଡ଼ିକର ବିକାଶ ହୋଇପାରନ୍ତା ।
Also Read: ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ, ଉପାସ ରହି ସ୍କୁଲ ପୋଷାକ ଫେରାଇ ଦେଲେ ଛାତ୍ରଛାତ୍ରୀ