ଦେବଦୂତ ସାଜିଲେ ସରପଞ୍ଚ, ଦୁର୍ଘଟଣାଗ୍ରସ୍ତଙ୍କୁ ଯଥା ସମୟରେ ମେଡ଼ିକାଲରେ ପହଞ୍ଚାଇ ପ୍ରଶଂସା ସାଉଁଟିଲେ

ଚାନ୍ଦବାଲି(କେ ନ୍ୟୁଜ): ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିବା ୨ଜଣଙ୍କୁ ମେଡିକାଲ ନେଇ ଚିକିତ୍ସିତ କରାଇ ମଣିଷ ପଣିଆ ଦେଖେଇଲେ ସରପଞ୍ଚ । ଏମିତି ଏକ କାମ କରି ପ୍ରଶଂସା ସାଉଁଟିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ସରପଞ୍ଚ ପ୍ରଭାସ ନାୟକ । ସରପଞ୍ଚ ପ୍ରଭାସ ନାୟକ ଅପରାହ୍ନରେ ଚାନ୍ଦବାଲିରୁ କାମସାରି ନିଜ ଘରକୁ ନିଜ ଗାଡିରେ ଯାଉଥୁବା ସମୟରେ ଭଦ୍ରକ ଚାନ୍ଦବାଲି ମୁଖ୍ଯ ରାସ୍ତାର ଉଗ୍ରତରା ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ତଳେ ପଡିଥିବାର ଦେଖିଥିଲେ । ପାଖରେ ଅନେକ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ବି କେହି ମେଡିକାଲ ନେବାର ବ୍ୟବସ୍ଥା କରୁନଥିଲେ ।

ତେବେ ସରପଞ୍ଚ ପ୍ରଭାସ ନାୟକ ଏ ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ନିଜ ଚାରି ଚକିଆ ଗାଡିରେ ଗୁରୁତର ୨ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସିତ କରାଇଥିଲେ । ତେବେ ଉକ୍ତ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୁରୁତର ହୋଇଥିବା ମହିଳାଙ୍କ ଘର ଗରିପୁର ବୋଲି ଜଣାପଡିଥିବା ବେଳେ ତାଙ୍କ ନାଁ ସୀତା ଦାସ । ଅନ୍ୟ ଜଣେ ତାଙ୍କ ଦିଅର ବୋଲି ଜଣାପଡିଛି । ଭାଟପଡା ସରପଞ୍ଚଙ୍କ ଏପରି କାର୍ଯ୍ଯକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.