ସାରଥିଙ୍କ ଗତିବିଧି ଉପରେ ନଜର ରଖିଛି କ୍ରାଇମ୍‌ବ୍ରାଞ୍ଚ, କୋର୍ଟଙ୍କ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ପୋଲିସ

ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ନଜରରେ ରଖିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କର ଗତିବିଧି ଉପରେ ରଖାଯାଇଛି ନଜର । କୋର୍ଟଙ୍କ ସର୍ତ୍ତ ଅନୁସାରେ ପୋଲିସ କାର୍ଯ୍ୟ କରିବ । ଏ ନେଇ କ୍ରାଇମ୍‌ବ୍ରାଞ୍ଚ ADG ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗତକାଲି ଚୌଦ୍ୱାର ସର୍କଲ ଜେଲରୁ ମୁକୁଳିଛନ୍ତି ସାରଥି ।

ଏବେ ସାରଥିଙ୍କ ନୂଆ ଠିକଣା କେଉଁଠି । ଏ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଚୌଦ୍ୱାର ସର୍କଲ ଜେଲରୁ ମୁକୁଳିଛନ୍ତି ସାରଥି । କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଜେଲରୁ ବାହାରକୁ ଅଣାଯାଇଛି। କଟକ କିମ୍ବା ଚୌଦ୍ୱାରର କୌଣସି ସ୍ଥାନରେ ତାଙ୍କୁ ରଖାଯିବାର ସମ୍ଭବନା ରହିଛି। ଜେଲରୁ ମୁକୁଳିବା ପରେ ସାରଥୀଙ୍କ ଅନୁଗାମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସାରଥି ପୁଣି ଥରେ ସବୁ ସମସ୍ୟାର ସମାଧାନ କରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ତାଙ୍କ ଅନୁଗାମୀମାନେ ।

ଗତକାଲି କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ସାରଥିଙ୍କ ପକ୍ଷରୁ ବେଲ୍‌ ବଣ୍ଡ ଓ ଅନ୍ୟ କାଗଜପତ୍ର ଦାଖଲ ପରେ କୋର୍ଟ ରିଲିଜ ଅର୍ଡର ଦେଇଥିଲେ। ସ୍ୱତନ୍ତ୍ର ମେସେଞ୍ଜର ରିଲିଜ ଅର୍ଡର ଧରି ଚୌଦ୍ୱାର ଜେଲରେ ପହଞ୍ଚିଥିଲେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ଗତ ୨୨ ତାରିଖରେ ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ । ଏହାପୂର୍ବରୁ ହାଇକୋର୍ଟ ଗୋଟିଏ ଓ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ସାରଥିଙ୍କୁ ଜାମିନ ମିଳିଥିଲା । ଗତ ୨୦୧୫ ଅଗଷ୍ଟ ୮ରେ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଚଢାଉ କରି ସାରଥିଙ୍କୁ ଗିରଫ କରିଥିଲା । ଏହାପରଠୁ ସେ ଚୌଦ୍ୱାର ଜେଲରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.