ଆସିଲା ସର୍ବକ୍ଷମା ଯୋଜନା : ଏଣିକି ବେଆଇନ୍ ଘର ନିର୍ମାଣ କରିଥିଲେ ମିଳିବ କ୍ଷମା

ଭୁବନେଶ୍ବର : ଆସିଲା ସର୍ବକ୍ଷମା ଯୋଜନା । ବିଭିନ୍ନ ଉନ୍ନୟନ ପରିଷଦ ଅଞ୍ଚଳରେ ବେଆଇନ ନିର୍ମାଣକାରୀଙ୍କୁ କ୍ଷମା ମିଳିବ । କିଛି ଜରିମାନା ଦେଇ ବିନା ଅନୁମୋଦନରେ ନିର୍ମିତ ଘରକୁ ବୈଧ କରିହେବ । ବିଡିଏ ସମେତ ୯ଟି ସ୍ଥାନରେ ଲାଗୁ ହେବ ଏହି ଯୋଜନା । ଫ୍ଲୋର ଏରିଆ ରେସିଓ, ପାର୍କିଂ ଓ ସେଟ୍‌ ବ୍ୟାକକୁ ନେଇ ବର୍ଗଫୁଟ୍‌ ହିସାବରେ ଜରିମାନା ଦେବାକୁ ପଡ଼ିବ। ଏଥିପାଇଁ ସରକାର ସ୍କିମ୍‌ ଫର୍‌ ରେଗୁଲାରାଇଜେସନ୍‌ ଅଫ୍‌ ଅନ୍‌ଅଥରାଇଜ୍‌ଡ କନ୍‌ଷ୍ଟ୍ରକ୍‌ସନ୍‌- ୨୦୧୮ ବା ସର୍ବକ୍ଷମା ଯୋଜନା ଅଧିସୂଚନା ଜାରି କରିଛନ୍ତି । ଅଧିସୂଚନା ଜାରି ପୂର୍ବରୁ ନିର୍ମିତ କୋଠା ଏହାର ପରିସରଭୁକ୍ତ ହେବ। ଆଜିଠାରୁ ସର୍ବକ୍ଷମା ଲାଗୁ ହେଲା। ଛଅ ମାସ ଭିତରେ ଆବେଦନ ହୋଇ ପାରିବ। ୬୦ ଦିନ ଭିତରେ ଫୈସଲା ହେବ।

ତେବେ ସମସ୍ତଙ୍କୁ ସର୍ବକ୍ଷମା ମିଳିବନି । ଏଥିପାଇଁ କିଛି ସର୍ତ୍ତ ରହିଛି। ନିର୍ମାଣ କାର୍ଯ୍ୟମାନ ଦୃଷ୍ଟିରୁ ନିରାପଦ ଥିବ, କୌଣସି ସାମାଜିକ ପ୍ରତିବନ୍ଧକ ସୃଷ୍ଟି କରୁ ନଥିବ, ଜନସାଧାରଣଙ୍କ ଜୀବନଚର୍ଯ୍ୟାକୁ ପ୍ରତିହତ କରୁ ନଥିବ ଓ ଅନ୍ୟ କୌଣସି ଆଇନ ଓ ନିୟମର ଉଲ୍ଲଂଘନ କରୁ ନଥିବ । ଏସବୁ ସର୍ତ୍ତ ପୂରଣ ହେଉଥିଲେ ସର୍ବକ୍ଷମା ଯୋଜନାରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ନିର୍ଦ୍ଦିଷ୍ଟ ଫର୍ମରେ ନିର୍ଦ୍ଦିଷ୍ଟ ଦେୟ ପୈଠ କରି ଆବେଦନ କରିବାକୁ ପଡ଼ିିବ ।

ଆବେଦନ କରିବା ସମୟରେ ଗୃହ ନିର୍ମାଣ ପ୍ଲାନର ୪ଟି ନକଲ, ନର୍ମାଣ କାର୍ଯ୍ୟର ବିବରଣୀ ସହ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଦେବାକୁ ପଡ଼ିବ । ବୃହତ୍‌ ନିର୍ମାଣ କ୍ଷେତ୍ରରେ ପୌର ସଂସ୍ଥାରୁ ପାରିପାର୍ଶ୍ୱିକ ଭତ୍ତିଭୂମି ଉନ୍ନତୀକରଣ ନେଇ ଏନ୍‌ଓସି ମଧ୍ୟ ଦେବେ ଆବେଦନକାରୀ । ଜିରୋ ସେଟ୍‌ ବ୍ୟାକ୍‌ରେ ଅନୁମୋଦ ପାଇଁ ପଡ଼ୋଶୀଙ୍କଠାରୁ ଅନୁମତି ଆବଶ୍ୟକ । ୩୦୦ ବର୍ଗ ମିଟର ପ୍ଲଟ୍‌ର ନିୟମିତକରଣ ପାଇଁ ପଡ଼ୋଶୀଙ୍କ ଏନ୍‌ଓସି ନଥିଲେ ଚଳିବ । ଅନୁଚ୍ଚ ଅଟ୍ଟାଳିକା କ୍ଷେତ୍ରରେ ସିଡିଘର ଓ ବାରଣ୍ଡା ଚଉଡ଼ା ସଂକ୍ରାନ୍ତୀୟ ନିୟମ ସଂପୂର୍ଣ୍ଣ କୋହଳ କରାଯାଇଛି । ଆପାର୍ଟମେଣ୍ଟ କ୍ଷେତ୍ରରେ କେତେକାଂଶରେ ନିୟମ କୋହଳ ହୋଇଛି ।

ଏହାସହ ହସ୍ପିଟାଲ ଓ ନର୍ସିଂ ହୋମ୍‌ କୋଠାଗୁଡ଼ିକ ପାଇଁ ମଧ୍ୟ ସର୍ବକ୍ଷମା ଯୋଜନାରେ ଅନେକ କୋହଳ ବ୍ୟବସ୍ଥା ହୋଇଛି । କିନ୍ତୁ ଏହାର ଫାଇଦା ନେବାକୁ ହେଲେ ୨୦୦ ବର୍ଗ ମିଟରରୁ ହଜାରେ ବର୍ଗ ମିଟର ପ୍ଲଟ୍‌ ସାଇଜ୍‌ ଥିବା ଅନୁଷ୍ଠାନ ପାଇଁ ଆପ୍ରୋଚ୍‌ ରୋଡ୍‌ ୬ ମିଟର ଚଉଡ଼ା ହେବା ଦରକାର । ୧୮ ମିଟର ଉଚ୍ଚ ଅଟ୍ଟାଳିକାରେ ଥିବା ଅନୁଷ୍ଠାନ ପାଇଁ ସଂଶ୍ଲିଷ୍ଟ ରାସ୍ତା ୯ ମିଟର ଚଉଡ଼ା ହେବା ଉଚିତ । ୧୮ ମିଟରରୁ ଅଧିକ ଉଚ୍ଚ ଅନୁଷ୍ଠାନ ପାଇଁ ଏହାର ଚଉଡ଼ା ୧୨ ମିଟର ହେବା ଦରକାର । ଏହି ଯୋଜନାରେ ଆଦାୟ ଅର୍ଥ ସିଡିପି ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭ୍‌ଲପ୍‌ମେଣ୍ଟ ଫଣ୍ଡ CIDFରେ ଜମା ହେବ । ଏହି ଅର୍ଥ ପାର୍କିଂ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.