ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲା : ଗିରଫ ଟ୍ରଷ୍ଟି ଏ. ଜନସେଲ୍ ରାଜାଙ୍କୁ ଓଡ଼ିଶା ଆଣିଲା ଇଓଡବ୍ଲ୍ୟୁ
କଳାହାଣ୍ଡି : ଜାରିଙ୍ଗ୍ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲାରେ ଗିରଫ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଏ. ଜନସେଲ୍ ରାଜାଙ୍କୁ ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଗତକାଲି ତାଙ୍କୁ ଜୁନାଗଡ଼ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ତାଙ୍କୁ ଜୁନାଗଡ଼ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏ. ଜନସେଲ୍ ରାଜାଙ୍କୁ ତାମିଲନାଡୁରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସେଠାରୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ।
ଜାରିଙ୍ଗ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜକୁ ଚଲାଉଥିଲା ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟ । ଏହାର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି ଏ. ଜନସେଲ୍ । ଅଭିଯୋଗ ହୋଇଛି, ୨୦୧୩-୧୪ ଏବଂ ୨୦୧୪-୧୫ ଶିକ୍ଷାବର୍ଷରେ ନାମଲେଖା ପାଇଁ ଜାଲ୍ କାଗଜପତ୍ର ଦେଖାଇ ଏମସିଆଇଠାରୁ ସ୍ୱୀକୃତି ଆଣିଥିଲା ସେଲଭମ୍ ଚାରିଟେବୁଲ ଟ୍ରଷ୍ଟ । ପରେ ଜାଲିଆତି ଧରାପଡିବାରୁ ସ୍ୱୀକୃତି ରଦ୍ଦ ହୋଇଥିଲା ।