ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ ଡଙ୍ଗା ଭଷାଇଥାନ୍ତି ଆବାଳ ବୃଦ୍ଧ ବନିତା । ଆଉ କାର୍ତ୍ତିକ ପୂର୍ଣ୍ଣମା ପାଇଁ ଡଙ୍ଗା ତିଆରି କାମରେ ଲାଗିପଡିଛନ୍ତି ଡଙ୍ଗା କାରିଗର ।
କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ହିନ୍ଦୁ ଧର୍ମରେ ଡଙ୍ଗା ଭସାଯାଏ । ବିଭିନ୍ନ ପ୍ରକାରର ଡଙ୍ଗା ବଜାରରେ ବିକ୍ରି ହୁଏ । ସୋଲ ଡଙ୍ଗା ଓ କାଗଜ ଡଙ୍ଗାରେ ବିଭିନ୍ନ କଳାକୃତିମାନ କରାଯାଇଥାଏ । ଯାହାକୁ ଗ୍ରାହକମାନେ ବେଶ ପସନ୍ଦ କରିଥାନ୍ତି । ଏବେ କିନ୍ତୁ ଡଙ୍ଗା ତିଆରିରେ ବ୍ୟସ୍ତ ଅଛନ୍ତି ଗୋପ ବ୍ଲକ ଏରବଙ୍ଗ ସରପଞ୍ଚ ଓ ତାଙ୍କ ପରିବାର ଲୋକେ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଦୀର୍ଘ ଚାରି ମାସ ଆଗରୁ ଲାଗି ପଡନ୍ତି ଏହି କାଗଜ ଡଙ୍ଗା ତିଆରି କାର୍ଯ୍ୟରେ । ପେଟି କାଗଜକୁ ହାତ ତିଆରି ଅଠାରେ ଯୋଡିବା, ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ ଦେବା ଭଳି ଅନେକ ବେଶରେ ଶେଷରେ ବୋଇତ, ମୟୁର, ହଂସ, ନାଉରି ଓ ଘର ଡଙ୍ଗାରେ ଅନେକ ରୂପ ଦିଅନ୍ତି । ରଶ୍ମୀରେଖା ଦାସ ଜଣେ କୈବର୍ତ୍ତ ଘରର ବୋହୂ ହୋଇଥିଲେ ମଧ୍ୟ ଚଳିତ ନିର୍ବାଚନରେ ସେ ଏରବଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ହୋଇଛନ୍ତି । କିନ୍ତୁ ସେ ନିଜ କୌଳିକ ବୃତ୍ତିକୁ କେବେବି ଛାଡ଼ି ନାହାନ୍ତି । ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ପରିବାର ଲୋକେ ସାହାଯ୍ୟ କରିଥାନ୍ତି ।
ତାଙ୍କ ଦ୍ୱାରା ନିର୍ମିତ ଡଙ୍ଗା ଗୋପ, ବେଗୁନିଆ, କୋଣାର୍କ ଓ ନିମାପଡା ସହ ଅନେକ ଅଞ୍ଚଳ ବ୍ୟବସାୟୀ କିଣି ବଜାରରେ ବିକ୍ରି କରିଥାନ୍ତି । ସବୁଠୁ ସ୍ୱତନ୍ତ୍ର କଥା ହେଉଛି ଆମେ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟକୁ ବ୍ୟବହାର କରି ତାର ଖୋଳ ଫିଙ୍ଗି ଦେଇଥାଉ । ସେ ଓ ତାଙ୍କ ମା କାଗଜ ପେଟି ଓ ଖୋଳ ସଂଗ୍ରହ କରିଥାନ୍ତି କହିବାକୁ ଗଲେ ଧୂପକାଠି ଖୋଳ, ମଶା ଧୂପଖୋଳ, ଚୁଡ଼ି ଖୋଳ ଏ ସବୁ କାଗଜ ଖୋଳ ସଂଗ୍ରହ କରି ଏହାକୁ ଡଙ୍ଗା ତିଆରି କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏହି ଅଦରକାରୀ କାଗଜରୁ ସୁନ୍ଦର ସୁନ୍ଦର ଡଙ୍ଗା ତିଆରି କରି ବେଶ ଦି ପଇସା ରୋଜଗାର କରିପାରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ବର୍ଷକରେ ଥରେ ଏହି ବ୍ୟବସାୟ ହେଉଥାଇପାରେ । କିନ୍ତୁ ବିଶେଷ କରି ଟଙ୍କା ପାଇଁ ନୁହେଁ ବରଂ ଡଙ୍ଗା ତିଆରି କଳାକୁ ବଞ୍ଚାଇବା ପାଇଁ ଏମାନେ ଚେଷ୍ଟା ଜାରି ରଖିଛନ୍ତି ।