ରଥଯାତ୍ରା: ଧ୍ୟାନ ଆକର୍ଷଣ କରୁଛି ଶାଶ୍ୱତ ରଞ୍ଜନଙ୍କ କୁନି ରଥ, ଏହି କ୍ଷୁଦ୍ର ମଡେଲ ପ୍ରସ୍ତୁତିରେ ବ୍ୟବହାର କରିଛନ୍ତି ୧୦,୨୨୦ ଦିଆସିଲି କାଠି

ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବର୍ଷକରେ ଥରେ ମହାପ୍ରଭୁଙ୍କୁ ମନ୍ଦିର ବାହାରେ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳ। ହେଲେ ମହାମାରୀ କରୋନା ଯୋଗୁ ଏଥର ବି ଫିକା ପଡ଼ିବ ଘୋଷଯାତ୍ରା। ବିନା ଭକ୍ତରେ ଗଡ଼ିବ ରଥ। ଭକ୍ତଶୂନ୍ୟ ରହିବ ବଡ଼ଦାଣ୍ଡ। ତଥାପି ଏ ସବୁ ଭିତରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ପୁରୀ କୁମ୍ଭାରପଡ଼ାର ଜଣେ ଯୁବକ ପ୍ରସ୍ତୁତ କରିଛନ୍ତି ତାଳଧ୍ୱଜ ରଥର ଏକ କ୍ଷୁଦ୍ର ମଡେଲ। ରଥଯାତ୍ରାକୁ ଆଖି ଆଗରେ ରଖି ସେ ଏହି କୁନି ରଥ ତିଆରି କରିଛନ୍ତି।

ବାପା ସୁଦର୍ଶନ ସାହୁ ଓ ମାଆ ରଶ୍ମୀ ସାହୁଙ୍କ ପୁଅ ଶାଶ୍ୱତ ରଞ୍ଜନ ସାହୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ମଡେଲକୁ ୧୦,୨୨୦ ଦିଆସିଲି କାଠିରେ ପ୍ରସ୍ତୁତ କରିଛନ୍ତି। ମଡେଲର ଉଚ୍ଚତା ୩୨ ଇଞ୍ଚ ଥିବା ବେଳେ ମୋଟେଇ ରହିଛି ୧୪ ଇଞ୍ଚ। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଥିବା ଶାଶ୍ୱତଙ୍କ କହିବା ହେଲା, ତାଙ୍କୁ ଏହି ମଡେଲ ପ୍ରସ୍ତୁତ କରିବାକୁ ପାଖାପାଖି ୧୧ ଦିନ ସମୟ ଲାଗିଥିଲା।

ratha2

୧୮ ବର୍ଷୀୟ ଶାଶ୍ୱତ କହିଛନ୍ତି, ରଥର ମଡେଲ ତିଆରି କଲା ବେଳେ ମୁଁ ସବୁ ଦିଗ ଉପରେ ଧ୍ୟାନ ରଖିଥିଲି। ତାଳଧ୍ୱଜ ରଥର ସାରଥୀ, ପାରା, ରଥ ଚକ, ଘୋଡ଼ା ଏବଂ ଅନ୍ୟାନ୍ୟ କଳାକୃତି ସହିତ ପ୍ରଭୁ ବଳଭଦ୍ରଙ୍କ ପ୍ରତିମାକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିଛି। ମୋର ଏହି ହସ୍ତଶିଳ୍ପ ମାଧ୍ୟମରେ ମୁଁ ସମସ୍ତ ଭକ୍ତଙ୍କ ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି କି, ସମଗ୍ର ମାନବଜାତିର ସମସ୍ତ ଦୁଃଖ, ଯନ୍ତ୍ରଣା ଓ ଅସୁବିଧା ଦୂର କରି ଏହି ମହାମାରୀ କବଳରୁ ଜଗତକୁ ଉଦ୍ଧାର କରନ୍ତୁ।

ତେବେ ଶାଶ୍ୱତଙ୍କ କହିବା ହେଲା, ତାଙ୍କର ଯେତେବେଳେ ଜରୁରୀ କାମ ପଡ଼େ, ସେ ଶ୍ରୀମନ୍ଦିର ଆଡ଼କୁ ଯାଆନ୍ତି। ଆଉ ଏହି ସମୟରେ ସେ ରଥ ନିର୍ମାଣ କାର୍ଯ୍ୟକୁ ଯତ୍ନର ସହ ଅନୁଧ୍ୟାନ କରନ୍ତି, ଯାହାକୁ ରେଫରେନ୍ସ ରୂପେ ନିଜ କୁନି ରଥ ମଡେଲ ନିର୍ମାଣରେ ବ୍ୟବହାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.