ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ, ଝାରପଡ଼ା ଜେଲରେ ସତୀଶ ରେଡ୍ଡୀ

ଭୁବନେଶ୍ୱର : ଜେଲଗଲା କୋଟିପତି ଚୋର ସ୍ପାଇଡର ସତୀଶ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତିକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ ସତୀଶକୁ ବିଶାଖାପାଟଣାରୁ ପୋଲିସ ଗିରଫ କରିଥିଲା । ତା ନିକଟରୁ ଚୋରି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି । ଧୂର୍ତ୍ତ ସତୀଶ କାନ୍ଥ ଓ ପାଚେରୀ ଚଢ଼ିବାରେ ମାହିର । ସେ ୫ ରାଜ୍ୟରୁ ଲୁଟିଛି ୨ଶହ କୋଟିର ସମ୍ପତ୍ତି । ସେ କେରଳରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜେଲରେ ରହିଥିଲା । ଜେଲରୁ ବାହାରିବା ପରେ ଗାଏବ ହୋଇଯାଇଥିଲା ।

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ପୋଲିସ ୪ଶହ ସିସିଟିଭି ଫୁଟେଜ୍ ସହ ୧୦ ହଜାର ଫୋନ କଲ ଯାଞ୍ଚ କରିଥିଲା । ୫୦ ଜଣଙ୍କ ବ୍ୟାକଗ୍ରାଉଣ୍ଡ ଖୋଜିଥିଲା । ସିସିଟିଭି ଯାଞ୍ଚ ବେଳେ ଜଣା ପଡିଥିଲା ଏକାଧିକ କାର ବଦଳାଇ ଆନ୍ଧ୍ରପ୍ରଦେଶ ପଳାଇଥିଲା ଲୁଟେରା । ପୋଲିସ ବିଭିନ୍ନ ଟିମରେ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କେରଳରେ ତନାଘନା କରିଥିଲା । ମାତ୍ର ମାଟ୍ରିକ ପାସ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲଡର ଭାବେ କାମ କରିଥିଲା ।

୨୦୦୯ ମସିହାରେ ସେ ପ୍ରଥମେ ଏକ କାର କାଚ ଭାଙ୍ଗି ସୁନା ବ୍ରେସଲେଟ ଓ ଟଙ୍କା ଆଦି ଲୁଟିଥିଲା । ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା । ୫ ରାଜ୍ୟରେ କେବଳ ବଛାବଛା କୋଟିପତିଙ୍କ ଘରୁ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ୨୦୨୩ ମସିହାରେ ନୂଆପଲ୍ଲୀ ଥାନା ଭିଭିଆଇପି ଅଞ୍ଚଳରେ ଥିବା ଏଆରଏସଏସ ମାଲିକଙ୍କ ଘରେ ପଶି କଳାକନା ବୁଲାଇଥିଲା । ତିନି ତିନି ଥର ବାହା ହୋଇଥିଲା ସତୀଶ । ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ସେ କେରଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା । ପରେ ତାଙ୍କୁ ଛାଡ଼ପତ୍ର ଦେଇ ବେଙ୍ଗାଳୁରୁରେ ଜଣେ ଯୁବତୀକୁ ବାହା ହୋଇଥିଲା । କୋଟିପତିଙ୍କ ଘରେ କଳାକନା ବୁଲାଇବା ପରେ କିଛି ଦିନ ପାଇଁ ସେ ନିଜ ଘରକୁ ଆସୁନଥିଲା । ପୋଲିସକୁ ଚକମା ଦେବା ପାଇଁ ନିଜର ଠିକଣା ବଦଳାଉଥିଲା । ଅନେକ ସମୟରେ ତାରକା ହୋଟେଲରେ ଅୟସ କରୁଥିଲା ।

 

 

ଆହୁରି ପଢନ୍ତୁ : ପ୍ରେମର କରୁଣ ପରିଣତି, ପ୍ରେମ ପାଇଁ ଜଳିଗଲା ପ୍ରେମିକ