ନୌସେନା ଚାକିରିକୁ ଯିବା ବେଳେ ନିଖୋଜ ହୋଇଗଲେ ସୌରଭ

ବ୍ରହ୍ମପୁର: କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖିଗଲାଣି । ଘରେ ନା ଜଳୁଛି ଚୂଲି ନା ପେଟକୁ ଯାଉଛି ଦାନା । ପୁଅ ନିଜ କର୍ତ୍ତବ୍ୟ ପଥରେ ଯାଉ ଯାଉ କୁଆଡ଼େ ହଜିଗଲା । କିଛି ଖୋଜ ଖବର ମିଳୁନି ପୁଅର । କଣ କରିପାରିବ ଏ ବିଚରା ମା’ ? ସ୍ବାମୀ ଚାଲିଯିବା ପରେ ଏହି ୨ ପୁଅ ହିଁ ଥିଲେ ତାଙ୍କ ସାହା ଭରଷା । ତାଙ୍କ ମୁହଁକୁ ଚାହିଁ ଦିନ କଟୁଛି । ୨ ପୁଅ ତାଙ୍କର ୨ଟି ଆଖି । ହେଲେ ତାଙ୍କ ଅନ୍ଧ ଲଉଡ଼ି ଏବେ ହଜିଯାଇଛି । ସେଥିପାଇଁ ମା’ ସାନ ପୁଅ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
କେରଳର କୋଚି ଆଇଏନ୍ଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ନୌସେନା ଆକ୍ଟି ଲିଡିଂ କମ୍ୟୁନିକେଟର (ଏଜି.ଏଲ୍.କମ୍.) ସୌରଭ କୁମାର ପାତ୍ର । ଗତ ୧୯ ତାରିଖରୁ ସେ ଟ୍ରେନ୍ରେ ଯାଇଥିବା ବେଳେ ଏବେ ସେ ନିଖୋଜ ଅଛନ୍ତି । ଆଇଏନଏସ୍ ଗରୁଡ଼ାରେ ପହଞ୍ଚି ନାହାନ୍ତି କି ତାଙ୍କର କୌଣସି ସନ୍ଧାନ ନାହିଁ । ଫୋନ୍ ବି ସୁଇଚ୍ ଅଫ୍ ରହିଛି । ତେଣୁ ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ ନିତ୍ର ପାତ୍ର । ପୁଲିସ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭ କରିଛି । ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକେ କହିଛନ୍ତି । ପୁଅକୁ ଖୋଜି ଆଣିବାକୁ ସେ ପୁଲିସ ଓ ନୌସେନାରେ ନିବେଦନ କରିଛନ୍ତି ।
ବ୍ରହ୍ମପୁର ଗେଟ୍ବଜାରରେ ସୌରଭଙ୍କ ଘର । ତାଙ୍କ ସାନ ଭାଇ ସମୀରଙ୍କ କହିବା ଅନୁଯାୟୀ ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏସ୍ଏସ୍ ଗରୁଡ଼ାରେ ତାଙ୍କର ନିଯୁକ୍ତି ହୋଇଥିଲା । ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ୍ ଟିକଟ ହୋଇଥିଲା । ସମୀରଙ୍କ କହିବା ପରେ ଭୋର ୩ଟାରେ ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନରେ ସୌରଭଙ୍କୁ ଟ୍ରେନ୍ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା । ପରିବାର ଲୋକ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କ ଅନୁସନ୍ଧାନ କରିଥିଲେ। କିନ୍ତୁ ସେ ସେଠାରେ ଚେକ୍ଇନ୍ କରିନଥିବା ଜଣାପଡିଥିଲା । ଆଜି ତାଙ୍କ ମାଆ ନିତୁ ପାତ୍ର ଗଉନ୍ ଥାନାରେ ଅଭିଯୋଗ କରିଛନ୍ତି ।
ପରେ କୋଚି ଆଇଏନ ଏସ୍ ଗରୁଡ଼ା ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ। ସୌରଭ ସେଠାରେ ବି କାର୍ଯ୍ୟରେ ଯୋଗ ଦେଇନଥିବା ଅଧିକାରୀ ଫୋନ୍ରେ କହିଛନ୍ତି ବୋଲି ସମୀର କହିଛନ୍ତି । ପୁଲିସ ସୌରଭଙ୍କ ମୋବାଇଲ୍ ଲୋକେସନ୍ ଯାଞ୍ଚ କରିଥିଲା। ଇଛାପୁରମ୍ ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଥିବା ଜଣାପଡିଛି । ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ ଚଳାଇଛି ପୋଲିସ l ସେପଟେ ବିଶାଖାପାଟଣା ଏୟାର ପୋର୍ଟ ଅଥରିଟିଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ଟାଉନ ଥାନା ପକ୍ଷରୁ ପଠାଯାଇଛି । ସୌରଭଙ୍କୁ ଖୋଜିବା ପାଇଁ ତାଙ୍କ ମା ଭାଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।