ପାଣି ପାଇ ପାରୁ ନାହାନ୍ତି ଚାଷୀଭାଇ, ଆରମ୍ଭ ହେଲା “ବୈତରଣୀ ବଞ୍ଚାଅ” ଅଭିଯାନ

କେନ୍ଦୁଝର: ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି । ଓଡ଼ିଶାର ଗଙ୍ଗା କହିଲେ ବୈତରଣୀ ନଦୀକୁ ବୁଝାଏ । ଏହି ବୈତରଣୀ ନଦୀ ଅନେକ ଲୋକଙ୍କ ଜଳ କଷ୍ଟ ଦୂର କରିଥାଏ । କିନ୍ତୁ ବୈତରଣୀ ନଦୀ ଆଜି ମୃତ ପ୍ରାୟ । ଏହି ନଦୀର ପାଣିକୁ ପାଇ ପାରୁ ନାହାନ୍ତି ଚାଷୀଭାଇମାନେ । ଅନ୍ୟପଟେ ଏହାର ଜଳକୁ ଖଣି ଅଞ୍ଚଳରେ ଥିବା ବିଭିନ୍ନ କଳକାରଖାନାଗୁଡ଼ିକରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ କେନ୍ଦୁଝରରେ ଆରମ୍ଭ ହୋଇଛି “ବୈତରଣୀ ବଞ୍ଚାଅ ” ଅଭିଯାନ । ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାରୁ “ବୈତରଣୀ ବଞ୍ଚାଅ ” ଆନ୍ଦୋଳନ ଆରମ୍ଭ କରାଯାଇଛି ।
କେନ୍ଦୁଝର ଜିଲ୍ଲାର ଜୀବନରେଖା, ପୂଣ୍ୟତୋୟା ବୈତରଣୀ ନଦୀ ଆଜି ମୃତପ୍ରାୟ । ଚିରସ୍ରୋତା ବୈତରଣୀ ନଦୀର ଜଳକୁ ଚାଷୀଙ୍କୁ ଯୋଗାଇବା ନିମନ୍ତେ କାନପୁର ବୃହତ୍ ଜଳସେଚନ ନିର୍ମାଣଧୀନ ଥିବାବେଳେ, ଏହାର ସିଂହଭାଗ ଜଳ ଖଣି ଅଞ୍ଚଳରେ ଥିବା ବିଭିନ୍ନ କଳକାରଖାନା ଓ ପାଇପ୍ ଯୋଗେ ଖଣିଜ ପଦାର୍ଥ ପରିବହନରେ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ୨ଟି କମ୍ପାନୀ ପାଇପ୍ ଯୋଗେ ଖଣିଜ ପଦାର୍ଥ ପରିବହନ ନିମନ୍ତେ ବୈତରଣୀ ନଦୀର ଜଳକୁ ବ୍ୟବହାର କରୁଛନ୍ତି । ଆଗକୁ ୧୩ଟି ଖଣି ଓ ଶିଳ୍ପସଂସ୍ଥା ବୈତରଣୀ ନଦୀ ଜଳକୁ ଖଣିଜ ପଦାର୍ଥ ପରିବହନ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଏପରି ହେଲେ ଅତିଶୀଘ୍ର ବୈତରଣୀ ନଦୀର ଜଳ ଶୁଖିଯିବ । ମାନବ ସମାଜ ସହିତ ନଦୀ, ଜଙ୍ଗଲ ଓ ଜମି ମଧ୍ୟରେ ଅତୁଟ ସମ୍ପର୍କ ରହିଛି । ଏ ବିଷୟରେ ଅବଗତ ହୋଇ ବୈତରଣୀ ନଦୀର ଜଳ କିପରି ସଂରକ୍ଷିତ ହୋଇ ରହିବ, ସେନେଇ ନଦୀ ଅବବାହିକାରେ ଥିବା ଲୋକେ ସଚେତନ ଓ ସଂଗଠିତ ହୋଇ ଏନେଇ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ବୈତରଣୀ ବଞ୍ଚାଅ ଅଭିଯାନର ସଦସ୍ୟ ।
କେନ୍ଦୁଝର ଜିଲ୍ଲାର ଜୀବନରେଖା ପୂଣ୍ୟତୋୟା ବୈତରଣୀ । ଦିନକୁ ଦିନ ବୈତରଣୀ ନଦୀର ଜଳ ପ୍ରବାହ କମି କମି ଆସୁଥିବା ବେଳେ ଲୋକଙ୍କ ପାନୀୟ ଜଳ ସହ ଚାଷ ବାସରେ ମଧ୍ୟ ତା’ର ପ୍ରଭାବ ପଡିଛି । ଏପରିକି ବୈତରଣୀର ଉଭୟ ପାର୍ଶ୍ଵରେ ଥିବା ଶତାଧିକ ଜନ ବସତି ଏହି ନଦୀର ଜଳ ଉପରେ ନିର୍ଭର କରି ଚଳୁଛନ୍ତି । ହେଲେ ଧିରେଧିରେ କମିବାରେ ଲାଗିଛି ଏହି ପ୍ରାକୃତିକ ଉତ୍ସ । ପ୍ରଭାବିତ ହେଉଛି ଲୋକଙ୍କ ଜୀବନ ଜୀବିକା । ତେଣୁ ବୈତରଣୀ ନଦୀର ଜଳ କିପରି ସଂରକ୍ଷିତ ହୋଇ ରହିବ ସେନେଇ ବୈତରଣୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । ଆଗକୁ ଏହି ଅଭିଯାନକୁ ଜୋରଦାର୍ କରାଯିବ ବୋଲି କହିଛନ୍ତି ବୈତରଣୀ ବଞ୍ଚାଅ ଅଭିଯାନର ସଦସ୍ୟ ।
Also Read:ଛଟପଟ ହେବ ପାକିସ୍ତାନ, ସିନ୍ଧୁ ପରେ ଚେନାବ ନଦୀର ଜଳ ରୋକିଲା ଭାରତ, ବନ୍ଦ କଲା ସବୁ ଗେଟ୍