ଏସସିବିରେ କରାଗଲା ବିରଳ ଅସ୍ତ୍ରୋପଚାର: ଗୋଡ଼ ଆଙ୍ଗୁଠିକୁ କାଟି ଲଗାଗଲା ହାତରେ

କଟକ(କେନ୍ୟୁଜ୍):  ଏସସିବିରେ କରାଗଲା ବିରଳ ଅସ୍ତ୍ରୋପଚାର। ଗୋଡ଼ ଆଙ୍ଗୁଠିକୁ କାଟି ହାତ ଆଙ୍ଗୁଠି କରାଗଲା ।  ଏସସିବି ପ୍ଲାଷ୍ଟିକ୍ସର୍ଜରୀ ବିଭାଗ ଦ୍ବାରା ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରାଯାଇଛି। ପ୍ଲାଷ୍ଟିକ୍ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଦୀର୍ଘ ସମୟ ଧରି ଓଟି ଭିତରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଥିଲେ।

ଭଦ୍ରକର ସୀତାକାନ୍ତ ବାରିକ। ଯାହାଙ୍କର କାମ କରିବା ସମୟରେ ମେସିନରେ ଡାହାଣ ହାତର ବୁଢା ଆଙ୍ଗୁଠି କଟିଯାଇଥିଲା। ଯେଉଁଥିପାଇଁ ଯୁବକଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ଆବଶ୍ୟକ ଠାରୁ ଛୋଟ ହୋଇଯାଇଥିଲା। ଯାହା ତାଙ୍କୁ ବିଭିନ୍ନ କାମ କରିବାରେ ସମସ୍ୟା ସୃଷ୍ଟି କରୁଥିଲା। ଆଙ୍ଗୁଠିକୁ କିଭଳି ଆବଶ୍ୟକ ମୁତାବକ ବଡ଼ କରାଯିବ ସେ ନେଇ ଯୁବକଙ୍କ ପରିବାର ଚିନ୍ତାରେ ଥିଲେ । ସବୁ କାମ କରିବାରେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଥିଲେ।

ତେବେ ଏହି ସମସ୍ୟାକୁ ନେଇ ସେମାନେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୁତି ଭୂଷଣ ନାୟକଙ୍କୁ ଦେଖା କରିଥିଲେ। ଡାକ୍ତର ନାୟକ ସମ୍ପୃକ୍ତ ଯୁବକଙ୍କୁ ଦେଖିବା ପରେ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି କହିଥିଲେ। କିନ୍ତୁ ଏଥିପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡିବ ବୋଲି  ସେ ପରାମର୍ଶ ଦେଇଥିଲେ । ଏଥିରେ ଯୁବକ ରାଜି ହେବାପରେ ଗୋଡର ବୁଢା ଆଙ୍ଗୁଠିର ପାଖ ଆଙ୍ଗୁଠିକୁ କଟାଯାଇ ତାହାକୁ ଯୁବକଙ୍କ ହାତର ବୁଢା ଆଙ୍ଗୁଠି କରାଯାଇଥିଲା ।  ଡାକ୍ତର ନାୟକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପାଇଁ ଟିମ କୁ ୮ଘଣ୍ଟା ସମୟ ଲାଗିଥିଲା। ଅସ୍ତ୍ରୋପଚାର ପରେ ଏହା ଯୋଡି ହେଉଛି କି ନାହିଁ ତାହା ଜାଣିବା ପାଇଁ ରୋଗୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ଏହାପରେ ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ଡାକ୍ତର ନାୟକ ଦୃଢ ନିଶ୍ଚିତ ହୋଇଥିଲେ।  ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ଡ଼ଃ ନାୟକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.