ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଛି। ସକାଳ ୬ଟା ୩୦ ରୁ ୧୦ଟା ୩୦ ଯାଏ ଚାଲିବ କ୍ଲାସ । ୧୫ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ଛୁଟି ଓ ୪ ଜିଲ୍ଲାରେ କେବଳ ଆଜି ଛୁଟି ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢାଇବାକୁ ଦାବି ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।
ଆଜିଠୁ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ସ୍କୁଲ ଛୁଟି ରହିଛି । ଗଞ୍ଜାମ, ଭଦ୍ରକ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁରରେ ମଧ୍ୟ ୨୦ ଜୁନ ଯାଏ ସ୍କୁଲ ଛୁଟି ରହିଛି। ଏହି ନିର୍ଦ୍ଦେଶ ଆସନ୍ତା ୨୦ ତାରିଖ ଯାଏଁ ବଳବତ୍ତର ରହିବ । ଅନ୍ୟପକ୍ଷରେ ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର ଓ ଅନୁଗୋଳରେ ଆଜି ଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ଏନେଇ ଗତକାଲି ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଥିଲେ ।
ରାଜ୍ୟରେ ଜାରି ରହିଛି ଗୁଳୁଗୁଳି । ଏମିତି ସ୍ଥିତି ଆଉ ଦୁଇ ଦିନ ଲାଗି ରହିବ। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ଅଗ୍ରସର ହେବାର ସମ୍ଭାବନା ରହିଛି।