ମାଲକାନଗିରିରେ ଏବେ ସ୍କୁଲ୍ ଘର ପାଲଟିଛି ମହୁଲ ଗୋଦାମ, ଖୁଲମଖୁଲା ଚାଲିଛି ବ୍ଯବସାୟ

ମାଲକାନଗିରି:  ଆଜ୍ଞା କରୋନା ମହାମାରୀ ଖାଲି ଜୀବନ ଜୀବିକା ନୁହେଁ ପିଲାଙ୍କ ଭିବଷ୍ଯତକୁ ବି ଏକ ପ୍ରକାରର ଅନ୍ଧକାର ଭିତରକୁ ଟାଣିନେଲାଣି। ମହାମାରୀର ଭୟାବହତାକୁ ନଜରରେ ରଖି ପାଖାପାଖି ସବୁ ପରୀକ୍ଷା ବାତିଲ୍ କରାଯାଇସାରିଲାଣି। ଆଉ ଏମିତିରେ କିଛି ସ୍କୁଲ୍ ଖୋଲି ପୁଣି ବନ୍ଦ ହୋଇସାରିଥିବାବେଳେ, ପ୍ରାୟତଃ କିଛି ସ୍କୁଲରେ ତାଲା ପଡିଛି, ଦୀର୍ଘ ବର୍ଷେ ହେବ। ଆଉ ଏଭଳି ପରିସ୍ଥିତିରେ ସ୍କୁଲ ଗୃହ ବା କଣ ହେବ। କିନ୍ତୁ ଆମ ଲୋକ ଭାରି ଚାଲାଖ । ତାକୁ କାହିଁକି ଖାଲି ଛାଡିବେ। ସ୍କୁଲ୍ ସିନା ପିଲାଙ୍କ କାମରେ ଲାଗୁନି ହେଲେ ବ୍ୟବସାୟୀଙ୍କ କାମରେ ତ ଆସୁ। ଏଭଳି ଅଜବ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ପଞ୍ଚାୟତର କୁର୍ତ୍ତି ବିଦ୍ୟାଳୟ। ଯାହା ଏବେ ପିଲାଙ୍କ ବିଦ୍ଯାପୀଠ ନୁହେଁ ବରଂ ପାଲଟିଛି ମହୁଲ ଗୋଦାମ। ଆଉ ଏଥିରେ ନିୟୋଜିତ କରାଯାଇଛି ଛୋଟ ପିଲାମାନଙ୍କୁ। ଏହି ବିଦ୍ୟାଳୟର ବିଭିନ୍ନ କୋଠରୀରେ ମହୁଲ ବସ୍ତା ଗଚ୍ଛିତ ହୋଇ ରହିଛି । ଖୁଲମଖୁଲା ଛୋଟ ପିଲାମାନଙ୍କୁ ଏଥିରେ ବ୍ଯବହାର କରାଯାଇ, ବିଦ୍ୟାଳୟ ପରିସରରେ କିଛି ଲୋକ ମହୁଲ ବ୍ୟବସାୟ କରୁଛନ୍ତି ।

କରୋନା ମହାମାରୀ ପାଇଁ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବିଦ୍ୟାଳୟ ବନ୍ଦ ହୋଇ ପଡ଼ିଥିବା ବେଳେ, ଚାରିପଟେ ଅନାବନା ଗଛ ଉଠି କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି । ବିଦ୍ୟାଳୟକୁ କୌଣସି ଶିକ୍ଷକ ଆସୁ ନଥିବାରୁ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଲାଣି । ତେବେ କରୋନା ପାଇଁ ବିଦ୍ୟାଳୟ ବନ୍ଦ ଥିବା ଏବଂ କୌଣସି ଶିକ୍ଷକ ଆସୁ ନଥିବାରୁ ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ମାନେ ବିଦ୍ୟାଳୟକୁ ମହୁଲ ଗୋଦାମ ଗୃହରେ ପରିଣତ କରିସାରିଲେଣି ।

ଅନ୍ୟପଟେ ମହୁଲ ବସ୍ତା ଗଚ୍ଛିତ ରଖା ଯାଇଥିବାରୁ ଆଗାମୀ ଦିନରେ କୋଠରୀ ଗୁଡ଼ିକ ନଷ୍ଟ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏନେଇ ପଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଢ଼ୀଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ତେବେ ଏଭଳି ପବିତ୍ର ବାତାବରଣରେ

ଏମିତି ବେଆଇନ୍ କାର୍ଯ୍ଯ ଚାଲିବା ନିହାତୀ ନିନ୍ଦନୀୟ। ଏଦିଗରେ ଶୀଘ୍ର ତଦନ୍ତ କରାଯାଇ ସମ୍ପୃକ୍ତ ବ୍ଯକ୍ତି ଏବଂ ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.