ସୁବର୍ଣ୍ଣପୁର (କେନ୍ୟୁଜ୍) : ସ୍କୁଲ ଘର ଭାଂଗି ଯାଇଛି । ବିପଦ ସଂକୁଳ ଘରେ ବସି ପାଠ ପଢିବା ସମ୍ଭବ ନୁହେଁ । ଫଳରେ ଚାଳ ଛପର ତଳେ ବସିଛନ୍ତି ପିଲା । କିଛି ପିଲା ବହି ବସ୍ତାନୀ ଧରି ଗଛମୂଳେ ବସିଛନ୍ତି । କୌଣସି ଟିଉସନକୁ ଯାଇ ପାଠ ପଢୁଥିବା ଭଳି ଦେଖାଯାଉଥିବା ଏହି ସ୍ଥାନ ବାସ୍ତବରେ ଏକ ସ୍କୁଲ । ଏଠି ଘଣ୍ଟି ବାଜେନି । ଏହି ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର ବଡମାଲ ଗାଁ ପ୍ରାଥମିକ ବିଦ୍ୟାଳୟର ।
ଗାଁରେ ଥିବା ସ୍କୁଲର ଛାତ ଭାଙ୍ଗିଗଲାଣି । କୌଣସି ଅଘଟଣ ନଘଟିବା ଓ କୁନି କୁନି ପିଲାଙ୍କୁ ଏଥିରୁ ଦୂରରେ ରଖିବା ପାଇଁ ସ୍କୁଲ ଆଗରେ କଣ୍ଟା ବାଡ ଦିଆଯାଇଛି । ଦିନେ କି ଦୁଇ ଦିନ ନୁହେଁ ବର୍ଷା ଦିନ ଆରମ୍ଭରୁ ଏଭଳି ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ପିଲାମାନେ । ଆଉ ବର୍ଷା ନହେବା ସମୟରେ ସ୍କୁଲ ସାମ୍ନାରେ ଥିବା ଆମ୍ବଗଛ ତଳେ ପାଠ ପଢନ୍ତି । ଏତେ ପିଲାଙ୍କୁ ନେଇ ଏକ ଛୋଟ ଘରେ ପାଠ ପଢାଇବା ଅସୁବିଧା ହେଉଥିଲେ ମଧ୍ୟ ବାଧ୍ୟ ହୋଇ ପଢାଉଥିବା କହିଛନ୍ତି ଶିକ୍ଷକ ।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି । ମାସ ମାସ ଧରି ଏଭଳି ଅବସ୍ଥାରେ ପିଲା ପାଠ ପଢୁଥିବା ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉଲୁଣ୍ଡା ବିଇଓ କହିଛନ୍ତି ସ୍କୁଲ ପରିଦର୍ଶନ କରିବା ପରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନିଆଯିବ ।