ଶୀଘ୍ର ଆସନ୍ତୁ ଆପଣଙ୍କ ପିଲାର ଦେହ ଖରାପ, ତୁରନ୍ତ ସ୍କୁଲରେ ପହଞ୍ଚନ୍ତୁ… ବାସ୍ ସ୍କୁଲରୁ ଏତିକି ଶୁଣିବା ପରେ ଅଭିଭାବକ ମାନେ ଆସି ପହଁଚିଲେ ସ୍କୁଲରେ । ଆସି ଦେଖନ୍ତି ସେମାନଙ୍କ ପିଲାର ଦେହ ପୂରା ଅସୁସ୍ଥ ହୋଇପଡିଛି । ଏମିତିକି ପାଣି ବି ତଣ୍ଟିରେ ଯାଉନଥିଲା, କଥା କହି ପାରୁନଥିଲେ ସମସ୍ତେ ।
ଘରୁ ଖାଇ ପିଇ ଏକଦମ୍ ସୁସ୍ଥ ଥିବା ପିଲା ହଠାତ୍ ସ୍କୁଲରେ ହେଇଗଲା ଅସୁସ୍ଥ । ଯାହାର କାରଣ କେହି ବି ଜାଣି ପାରୁନାହଁନ୍ତି । ସ୍କୁଲରେ ପାଠ ପଢ଼ୁଥିଲେ ପିଲା । ହଠାତ୍ ଆରମ୍ଭ ହୋଇଗଲା ଅସ୍ୱାଭାବିକ ଆଚରଣ । ପାଠ ପଢ଼ା ମଝିରେ ଅଜବ ହରକତ କରିବାକୁ ଲାଗିଲେ । ପ୍ରଥମେ ଜଣେ ଦୁଇ ଜଣ ଏମିତି ହେଲେ । ତାପରେ ଜଣଙ୍କ ପରେ ଜଣେ ଏମିତି ୧୭ ଜଣ ଛାତ୍ରୀଙ୍କର ଚେତା ହରାଇଲେ । ପିଲାଙ୍କ ଏଭଳି ଅବସ୍ଥା ଦେଖି ସ୍କୁଲର ଶିକ୍ଷକ ଶକ୍ଷୟିତ୍ରୀ ବି ହେଇଗଲେ କାବା । କାହାର ମୁଣ୍ଡ ବୁଲାଉଥିଲା ତ କାହାର ଛାତିରେ ଯନ୍ତ୍ରଣା ହେଉଥିଲା । ଏମିତି ବିଭିନ୍ନ ପ୍ରକାର ଅଭିଯୋଗ କରୁଥିଲେ ପିଲାମାନେ । ଏ ନେଇ ଶିକ୍ଷକ ଜଣାଇଲେ ପିଲାଙ୍କ ଅଭିଭାବକଙ୍କୁ । ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା କି ଏକାବେଳେ ଏତେ ସଂଖ୍ୟ ପିଲା କାହିଁକି ଏଭଳି ବ୍ୟବହାର କରୁଛନ୍ତି ?
ପିଲାଙ୍କୁ ଏମିତି ଅବସ୍ଥାରେ ଦେଖି ତୁରନ୍ତ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ମେଡିକାଲ ଟିମ ସ୍କୁଲରେ ପହଁଚି ଚିକିତ୍ସା କରଥିଲେ । ଅବସ୍ଥା ଅଧିକ ସଂଗୀନ ହେବାରୁ ଚିକିତ୍ସା ପାଇଁ ୬ ଜଣ ଛାତ୍ରୀଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩ଜଣ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣାକୁ ନେଇ ଅନେକ ପ୍ରକାର ଚର୍ଚ୍ଚା । କିଏ କହୁଛି ଗୁଣିଗାରେଡ଼ି ତ ଆଉ କିଏ କହୁଛି ଅଜବ କଥା । ଯାଜପୁର ଘଟଣା ଆଉ ଆଳିକୁ ଡେଇଁଲା କି ? ତେବେ ଡାକ୍ତର କହୁଛନ୍ତି ପ୍ରବଳ ଗୁଳୁଗୁଳି ଯୋଗୁଁ ଏଭଳି ହୋଇଥାଇ ପାରେ ।