ସ୍କୁଲ ଶିକ୍ଷକଙ୍କ ଅଜବ ଦରଖାସ୍ତ, ମୂଲ ଲାଗିବା ପାଇଁ ମାଗିଲେ ଛୁଟି

ସ୍କୁଲ ଶିକ୍ଷକଙ୍କ ଅଜବ ଦରଖାସ୍ତ । ମୂଲ ଲାଗିବି ଛୁଟି ଦିଅ । ଏପରି ଲେଖି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଛନ୍ତି ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ । ଦରମା ନମିଳିବାରୁ ମଜୁରୀ କରିବାକୁ ଛୁଟି ମାଗିଛନ୍ତି ଏହି ସହକାରୀ ଶିକ୍ଷକ । ଦରମା ଟଙ୍କା ମିଳିଲେ ପରିବାର ଚଳେ । କିନ୍ତୁ ଗତ ୩ ମାସ ହେବ ଏ ଶିକ୍ଷକଙ୍କ ଦରମା ମିଳୁନି । ଶେଷରେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ।

ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ଅଜବ ଘଟଣା ଦେଖିବାକୁ ମିଳିଛି । ଶିକ୍ଷକ ପ୍ରଭୁଦତ୍ତ ସାହୁଙ୍କୁ ୩ ମାସ ଦରମା ମିଳିନଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭୁଦତ୍ତ । ଏବେ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମୂଲ ଲାଗିବା ପାଇଁ ବାହାରିଛନ୍ତି ।

ସପ୍ତାହର କିଛି ଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ଗୋଟେ ଦିନ ଛୁଟି ନେଇ ମୂଲ ଲାଗିବେ । ମୂଲ ପଇସାରେ ନିଜ ଆର୍ଥିକ ସମସ୍ୟାକୁ ଅଳ୍ପ ବହୁତ ଦୂର କରିବେ ଭାବିଛନ୍ତି ସହକାରୀ ଶିକ୍ଷକ ପ୍ରଭୁଦତ୍ତ ।