ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା, ଆଜି ୫ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା । ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଆଜି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି ।  ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି । ସେହିପରି ବର୍ଷା ଯୋଗୁଁ ସ୍କୁଲପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଜିଲ୍ଲାଗୁଡ଼ିକରେ ଗତ ୨୩ ତାରିଖ ଠାରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୬ରେ ମଧ୍ୟ ବର୍ଷା ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲ ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ଆସନ୍ତିକାଲି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଦାନା ପ୍ରଭାବରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଏବେବି ଲୋକମାନେ ଆଶ୍ରୟ ନେଇଛନ୍ତି । ତେଣୁ ଘଟଣାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ।

 

 

You might also like