ବନ୍ଦ ରହିଛି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ପାଠ ନପଢ଼ି ଫେରୁଛନ୍ତି ପିଲା

ଚାନ୍ଦବାଲି- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରେଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଗ୍ରାମବାସୀଙ୍କ ଭିତରେ ଥିବା ଏକ ବିବାଦୀୟ ଘଟଣାକୁ ନେଇ ଦୁଇ ଦିନ ହେଲା ସ୍କୁଲ ମୁଖ୍ୟ ଗେଟରେ ତାଲା ପଡ଼ିଛି । ଏନେଇ ଦୁଇ ଦିନ ହେଲା ଦୁଇଟି ସ୍କୁଲ ଓ ଗୋଟେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢା ବନ୍ଦ ରହିଛି । ଚାନ୍ଦବାଲି ବ୍ଲକର ପାରେଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ସତ୍ୟ ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚମ୍ପାସାହି ପାରେଡ଼ିଆ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। ଫଳରେ ପାଠ ପଢ଼ିନପାରି ଫେରୁଛନ୍ତି ଛାତ୍ରଛାତ୍ରୀ ।

ଗାଁ ଲୋକଙ୍କ ଅଭିଯୋଗ ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅଧୀନ ପାରଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହୁରି ଦୁଇ ତିନି ମାସ ତଳେ ସ୍କୁଲର ପାଚିକା ସହ ଖରାପ କାମରେ ଲିପ୍ତ ଥିବା ବେଳେ ଧରା ପଡ଼ିଥିଲେ । ଏକଥା ଜଣା ପଡିବା ପରେ ଗ୍ରାମବାସୀଙ୍କ ଗୋଡହାତ ତଳେ ପଡି ନିଜ ଅପକର୍ମକୁ ଲୁଚାଇବା ପାଇଁ ପ୍ରଧାନ ଶିକ୍ଷକ ଉଦ୍ୟମ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ମଠଡିହ କ୍ଲଷ୍ଟରର କେତେକ ଶିକ୍ଷକଙ୍କ ଉପସ୍ଥିତିରେ ଏକ ଫଇସାଲା ହୋଇଥିଲା । ଉକ୍ତ ଫଇସାଲା ଅନୁସାରେ ସେହି ପ୍ରଧାନ ଶିକ୍ଷକ ୬ ମାସ ମଧ୍ୟରେ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇ ଚାଲିଯିବେ ବୋଲି ନିଷ୍ପତ୍ତି ହୋଇଥିଲା ।

ଏବେ ସର୍ତ୍ତ ଅବଧି ସରି ଯାଇଥିଲେ ବି ସେହି ଶିକ୍ଷକ ଅନ୍ୟତ୍ର ଯିବାକୁ ନାରାଜ ହେବାରୁ ଗ୍ରାମବାସୀ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ, ତତ୍କାଳୀନ ଆଞ୍ଚଳିକ ସାଧନ କର୍ମୀ ଓ ମଧ୍ୟସ୍ଥତା କରିଥିବା ଶିକ୍ଷକ ମାନଙ୍କୁ ଶୁକ୍ରବାର ଜଣାଇଥିଲେ । ହେଲେ ସେମାନେ କିଛି ନକରିବାରୁ ଅନ୍ୟ ଉପାୟ ନପାଇ ଶନିବାର ସକାଳୁ ତାଲା ପକାଇ ଥିଲେ। ଦୁଇ ଦିନ ସ୍କୁଲ ବନ୍ଦ ହେବା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକରାଣୀ ପହଁଚି ଉକ୍ତ ପ୍ରଧାନ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଥିବା କଥା କହି ସ୍କୁଲ ଗେଟରୁ ତାଲା ଫିଟାଇଥିଲେ। ହେଲେ ସ୍କୁଲ ଚାଲି ନଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.