କୀର୍ତ୍ତନ ସାରି ଘରକୁ ଫେରୁଥିଲେ ତିନି ଯୁବକ: ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ସୋର : ସ୍କୁଟି ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଜଣେ ଯୁବକ ମୃତ, ଦୁଇ ଗୁରୁତର । ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଅନୁସାରେ ଖଇରା ଥାନା ଡାଲଙ୍ଗ ଗ୍ରାମର ଭରତ ପୃଷ୍ଟିଙ୍କ ପୁଅ ଉମେଶ ପୃଷ୍ଟି, ସମୀର ମହାରଣା ଓ ଆଟପୁର ଗ୍ରାମର ଶୁଭଙ୍କର ପାତ୍ର ଏକ ସଂକୀର୍ତ୍ତନ ମଣ୍ଡଳୀରେ କାମ କରନ୍ତି । ଆଜି ସକାଳେ ବାଲିଆ ପାଳରୁ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ବରଫ କଳ ଠାରେ ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟି ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ଉମେଶଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଭରତ ଓ ଶୁଭଙ୍କରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଖବର ପାଇ ମୃତକ ଓ ଆହତଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।