ସାଲେପୁର : ଦିନ କେଇଟା ପରେ ପ୍ରଭୁ ଗଣେଶ ଓ ମା ଖୁଦୁରୁକୁଣୀ ପୂଜା । ପାର୍ବଣର ଅବ୍ୟବହିତ ପୂର୍ବରୁ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳନ ହୋଇଥାଏ । ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ମାହୋଲ । ଶିକ୍ଷା ଅନୁଷ୍ଠାନ ଠୁ ଆରମ୍ଭ କରି ବିଭିନ୍ନ କ୍ଲବ ରେ ଗଣେଶଙ୍କ ପୂଜା ସହିତ ଗାଁ ଗହଳିରେ ଭାଲୁକୁଣି ପୂଜା ହୋଇଥାଏ । ଏଥି ପାଇଁ କାରିଗର ମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ରହିଛନ୍ତି ।
କଟକ ଜିଲ୍ଲା ସାଲେପୁର ବ୍ଲକ୍ ଛାଣିପୁର ପଞ୍ଚାୟତ ବାଲିଆ ଶଙ୍କରପୁର ଗାଁ ରେ ମୂର୍ତ୍ତି କାରିଗରଙ୍କ ପରିବାର ସକାଳୁ ରାତି ପର୍ଯ୍ୟନ୍ତ ପରିବାରର ସମସ୍ତ ସଦସ୍ୟ ମାନେ ଲାଗି ପଡିଛନ୍ତି ମୂର୍ତ୍ତି ଗଢିବାରେ । ଘରର ବୋହୂ ମାନେ କିଏ ତୂଳୀ ରେ ରଙ୍ଗ ଦେଉଛି ତ ଆଉ କିଏ ମୂର୍ତ୍ତିକୁ ମାଟି ପ୍ରଲେପ କରୁଛନ୍ତି । ଆଉ ସେପଟେ ପୁରୁଷ ମାନେ ମୂର୍ତ୍ତି ର ଡିଜାଇନ୍ କୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି । ଅର୍ଡର ମୁତାବକ ମୂର୍ତ୍ତି ତିଆରି ଚାଲିଛି । ପିଢ଼ି ପରେ ପିଢ଼ି ନିଜ କୁଳ ବେଉସାକୁ ବଞ୍ଚେଇ ଏହି ମୂର୍ତ୍ତି ଗଢି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ବୋଲି କୁହନ୍ତି କାରିଗର ।
ହାତ ତିଆରି ମାଟି ମୂର୍ତ୍ତିର ବେଶ୍ ଚାହିଦା ରହିଛି ସେଥି ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ମାସକ ଆଗରୁ ଅର୍ଡର ଦେଇ ଥାଆନ୍ତି ମୂର୍ତ୍ତି ନେବା ପାଇଁ । ଛୋଟ ଠାରୁ ଆରମ୍ଭ କରି ପ୍ରାୟ ଆଠ ଫୁଟରୁ ଉର୍ଦ୍ଧ୍ୱ ମୂର୍ତ୍ତି ତିଆରି ଚାଲିଛି । ପ୍ରଭୁ ଗଣେଶ ଆଉ ମା ଭାଲୁକୁଣିର ବିଭିନ୍ନ କିସମର ମୂର୍ତ୍ତି ଗଢା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବେପାରୀ ଗ୍ରାହକ ମାନେ ପ୍ରତ୍ୟେକ ଦିନ ଆସି ମୂର୍ତ୍ତି ନେବା ପାଇଁ ଦେଖି ଅଡର ଦେଉଥିବା ବେଳେ ଖାଲି ପାଗ ଯଦି ଅନୁକୂଳ ରହେ ତେବେ ବେଶ୍ ଦୁଇ ପଇସା ଲାଭ ହେବ ବୋଲି କହିଛନ୍ତି ।