ପୁଣି ସେବାଶ୍ରମ ସ୍କୁଲ କେଳେଙ୍କାରୀ : କେବଳ ଦଣ୍ଡ ସମାଧାନର ପନ୍ଥା ନୁହେଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସେବାଶ୍ରମ ସ୍କୁଲରେ ଘଟିଛି ଅତି ଳଜ୍ଜାକର ଘଟଣା । ମା ହୋଇଛି ଅଷ୍ଟମ ଶ୍ରେଣୀ ଛାତ୍ରୀ । ପୁଣି ଜି. ଉଦୟଗିରିରେ ମଧ୍ୟ ସମାନ ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ଠାରୁ ଆରମ୍ଭ କରି ଅନ୍ୟ ୯ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସରକାର କହିଛନ୍ତି ଛାତ୍ରୀ ରହୁଥିବା ସେବାଶ୍ରମ ସ୍କୁଲରେ ସିସିଟିଭି ଲାଗିବ ।
ଇଏତ ସବୁ ଗଲା ଚୋର ପଳାଇଗଲା ପରର କଥା, ହେଲେ ଏହାକୁ ରୋକାଯିବ କେମିତି ? କଣ ସିସିଟିଭି ଲଗାଇ ଦେଲେ ଏଭଳି କୁକର୍ମ ବନ୍ଦ ହୋଇଯିବ ? ଆଶ୍ଚର୍ଯ୍ୟ ଲାଗୁଛି ଯେ ଏହା ପୂର୍ବରୁ କୋରାପୁଟ ସେବାଶ୍ରମ ସ୍କୁଲରେ ଏଭଳି ଘଟଣା ଘଟିଥିଲା । ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଦିନର କାର୍ଯ୍ୟାନୁଷ୍ଠାନ ପରେ ପୁଣି ସବୁ ନିରବି ଗଲା । ଏବେ ସେହିଭଳି କନ୍ଧମାଳ ଦାରିଙ୍ଗବାଡ଼ିର ଘଟଣା ହୁଏତ କିଛି ଦିନ ପରେ ଗୋଦାର ରଦ୍ଦି ମାଲ୍‌ ଭଳି ଛପିଯିବ ।
ବର୍ତ୍ତମାନର ସାମାଜିକ ସ୍ଥିତିକୁ ନେଇ ଏଭଳି ସବୁ ଘଟୁଛି । ଯେଉଁଥିରେ ଲଗାମ ଲଗାଇବା ସହଜ ନୁହେଁ । ନାବାଳିକା ଥିବା ଦୃଷ୍ଟିରୁ ଆମେ ଛାତ୍ରୀର ଦୋଷ ଦେଇ ପାରିବା ନାହିଁ । କିନ୍ତୁ ଦୋଷ ତ ନିଶ୍ଚତ ଭାବେ ସେବାଶ୍ରମ ଦାୟିତ୍ୱରେ ଥିବା ପରିଚାଳକ ଏବଂ ସ୍କୁଲ ପ୍ରଧାନଙ୍କ ନାଁ’ରେ ଯିବ । ଯଦି ଏସବୁ ବାହାରେ ଛାତ୍ରୀଟି ଭୁଲ କରିଥାଏ ତେବେ ଦୋଷ କିଏ ମୁଣ୍ଡାଇବ ?
ପାଠ ପଢ଼ିବାକୁ ଆସିଥିବା ପିଲାଟି କେବେ କେଉଁଠି ପ୍ରେମରେ ପଡ଼ିବ କିମ୍ବା ସେହି ସେବାଶ୍ରମ କି ସ୍କୁଲ ଶିକ୍ଷକଙ୍କ ଯୌନ ଲାଳସାର ଶିକାର ହେବ ତାହା କହିବା ମୁସ୍କିଲ । ଏ କ୍ଷେତ୍ରରେ ନା ସିସିଟିଭି ନା କୌଣସି ତାଗିଦ କାମ କରିବ । କାରଣ ଆମେ କୌଣସି ଭୁଲକୁ ଅଧିକ ଦିନ ମନେ ରଖୁନା । କିଛି ଦିନ ପରେ ଭୁଲି ଯାଉ । ତେଣୁ ପୁଣି ସେହି ଭୁଲ ଆମ ଆଗକୁ ଆସେ ।
ଏବେ ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଯେଉଁ ଘଟଣା ଘଟିଛି ତାର କୌଣସି ସମାଧାନ ନାହିଁ । କେବଳ ଆଗକୁ ଯେଭଳି ଏମିତି ଘଟଣାର ପୁନରାବୃତ୍ତି ନହୁଏ ସେଦିଗରେ ଯତ୍ନବାନ୍‌ ହେବା ଦରକାର । ନହେଲେ କେବଳ ଅରଣ୍ୟ ରୋଦନ ବ୍ୟତୀତ ଆମ ପାଖରେ ଆଉ କିଛି ପନ୍ଥା ରହିବ ନାହିଁ । ଭବିଷ୍ୟତରେ ଅଭିଭାବକମାନେ ସେମାନଙ୍କ ଝିଅମାନଙ୍କୁ ଏଭଳି ଜାଗାକୁ ଛାଡ଼ିବେ ତ ? ସରକାରଙ୍କ ବାଳିକା ଶିକ୍ଷା ଯୋଜନା ଫଳବତୀ ହେବ ତ ? ସେବାଶ୍ରମ ଦାୟିତ୍ୱରେ ଥିବା ପରିଚାଳକ ଓ କର୍ମଚାରୀଙ୍କୁ ଅନେକ ସତର୍କତାର ସହ କାମ କରିବାକୁ ହେବ । ତୀକ୍ଷଣ ଧ୍ୟାନ ଦେବାକୁ ପଡ଼ିବ ।