ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। ପୁରୀ ର ଜମ୍ବେଶ୍ୱର ମନ୍ଦିର, ଲୋକନାଥ ଦେବ ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, କପାଳଲୋଚନ ମନ୍ଦିର, ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଶଙ୍କରେଶ୍ୱର ମନ୍ଦିର, ଓମକାରେଶ୍ୱର ମନ୍ଦିର ଏବଂ ପୁରୀ ଓ ବୀରହରେକୃଷ୍ଣପୁର ସ୍ଥିତ ବାନାମ୍ବର ମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା । ଆଜି ଅପରାହ୍ନ ୬ଟାରୁ ୧୪ ତାରିଖ ଅପରାହ୍ନ ୨ ଯାଏ୧୪୪ ଧାରା ବଳବତ୍ତର ରହିବ।ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ କୌଣସି ବାଣ ଫୁଟା ଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଗତ ୨୯ ତାରିଖ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ତଥା ଭଉଁରୀ ଉତ୍ସବ ଦିନ ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ପ୍ରଚଣ୍ଡ ବାଣ ବିସ୍ଫୋରଣ ହୋଇ ୩୬ ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ୧୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କିଛି ବ୍ୟକ୍ତି ବେଆଇନ୍ ଭାବେ ଜିଲ୍ଲା ପ୍ରଶାସନର ଅନୁମତି ନନେଇ ଦେବୀ ଘାଟ ନିକଟ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିଥିଲେ । ବାଣ ଫୁଟା ସମୟରେ ବାଣରୁ ଝୁଲ ପଡି ଗଚ୍ଛିତ ଥିବା ଅନ୍ୟ ବାଣରେ ନିଆଁ ଲାଗି ଯିବାରୁ ବଡ଼ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବାଣ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଥିଲେ ।