ସରିଲା ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ, ୯ ତାରିଖ ଦ୍ବିତୀୟ ବୈଠକରେ ଖୋଲାଯିବା ନିଷ୍ପତ୍ତି ହେବ
ପୁରୀ : ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକରେ ୧୮ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ବୈଠକରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ କାଗଜପତ୍ର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଆଗାମୀ ୯ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଆଯିବ ନିଷ୍ପତ୍ତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ପରେ ଏହା କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।୯ ତାରିଖ ସକାଳ ୧୦ଟାରେ କମିଟିର ଦ୍ବିତୀୟ ବୈଠକ ହେବ। ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଜିଲ୍ଲା ଟ୍ରେଜେରିରେ ରହିଛି। ୯ ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଚାବିକୁ କମିଟି ଆଗରେ ଦାଖଲ କରିବେ।
ଚାବି ଦାଖଲ ପରେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ହେବ। ଚାବିକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ। ଦୁଇ ଦଶନ୍ଧି ଧରି ଭିତର ରତ୍ନଭଣ୍ଡାର ତାଲା ଖୋଲାଯାଇନାହିଁ। ତେଣୁ ସେ ଚାବିରେ ଯଦି ଭିତର ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା ଭଙ୍ଗାଯିବ। ଏନେଇ ଏସଓପି ଜାରି କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି।
ଯଦି ତାଲି ଖୋଲିଲା ତେବେ ପ୍ରଥମ କାମ ଭାବେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ। ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ। କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡ଼ିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମହାପ୍ରଭୁ ମନ୍ଦିର ଲେଉଟିବା ପୂର୍ବରୁ ଗହଣା ସ୍ଥାନାନ୍ତର ହେବ ବୋଲି ଆଶା ରହିଛି।
ଗହଣା ସ୍ଥାନାନ୍ତର ହେବା ପରେ ଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ଗଣତି ମଣତି ପାଇଁ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏ ଅଳଙ୍କାରଗୁଡ଼ିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡ଼ିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ତେବେ ଗଣତି, ମଣତିରେ କିଏ ରହିବେ ସେ ନେଇ କମିଟି କେବଳ ପରାମର୍ଶ ଦେବ।