ପଶ୍ଚିମବଙ୍ଗକୁ ଓଡ଼ିଶାର ଜବାବ, ସୀମାନ୍ତ ଉଦୟପୁର ବେଳାଭୂମିରେ ୧୪୪ ଧାରା ଜାରି

ନାଲି ପତାକା ମାରି ଦୀର୍ଘ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା

ବାଲେଶ୍ୱର(କେନ୍ଯୁଜ୍): ଓଡିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ୧୪୪ ଧାରା ଜାରି। ନାଲି ପତାକା ମାରି ଦୀର୍ଘ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଭୋଗରାଇ ବ୍ଲକରେ ଅଛି ଓଡ଼ିଶାର ଅନ୍ୟତମ ମନୋରମ ବେଳାଭୂମି ଉଦୟପୁର। ଗତ ୭ ତାରିଖ ଦିନ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ମେ’୨୫ରେ ସାମୁଦ୍ରିକ ବାତ୍ୟା ୟସ ପ୍ରଭାବରେ ଉଦୟପୁର ସୀମାନ୍ତରେ ଥିବା ପଶ୍ଚିମବଙ୍ଗ ଟାୱାର ଏବଂ ପାଚେରୀ ଭାଙ୍ଗି ଯାଇଥିଲା। ପଶ୍ଚିମବଙ୍ଗର ଟାୱାର ପକ୍ଷରୁ ପ୍ରାୟ ୫୦ଫୁଟର ପାଚେରୀ ନିର୍ମାଣ ପରେ ଓଡିଶା ମଧ୍ୟକୁ ପ୍ରାୟ ୩୦ଫୁଟର ପାଚେରୀ ନର୍ମାଣ କାର୍ଯ୍ୟ ଆରମ୍ଭ କରିଛି।

ଓଡିଶା ଭିତରେ ପାଚେରୀ ନିର୍ମାଣ ହେଉଥିବା ଦେଖି ଗତ ୭ ତାରିଖ ଦିନ ସ୍ଥାନୀୟ ଲୋକ ଭୋଗରାଇ ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ। ଭୋଗରାଇ ଅତିରିକ୍ତ ତହସିଲଦାର ଏବଂ କଖଡ଼ା ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଆଇନ ପାଚେରୀ ନିର୍ମାଣକୁ ଅନୁଧ୍ୟାନ କରିବା ସହ ବଙ୍ଗ ପ୍ରଶାସନକୁ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା।

ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ପାଚେରୀ ର୍ନିମାଣ ପାଇଁ କାର୍ଯ୍ୟ ଆରମ୍ଭ କରା ଯାଇଥିବାରୁ, ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସ୍ଥାନୀୟ ପୋଲିସ ଏବଂ ଭୋଗରାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଭୋଗରାଇ ତହସିଲଦାର ଉଦୟପୁର ବେଳାଭୂମିରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି ବୋଲି କହିଛନ୍ତି।