ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ନଜର ରଖିବ ୬୫୦ ସିସିଟିଭି ଓ ୪୦ ଡ୍ରୋନ । ହନୁମାନ ଜୟନ୍ତୀ ପାଇଁ ପୋଲିସ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଏଡିଜି, ଆଇନ ଶୃଙ୍ଖଳା ସଞ୍ଜୟ କୁମାର। ସମ୍ବେଦନଶୀଳ ଅଞ୍ଚଳରେ ସାଦା ପୋଷାକରେ ପଇଁତରା ମାରିବେ ପୋଲିସ । ସେମାନଙ୍କୁ ଭେହିକିଲ୍ ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ପିକେଟିଂ କରୁଛି ।
ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି। ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିବ। ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଥିବା ସୂଚନା ଦେଇଛନ୍ତି ଏଡିଜି ଆଇନ ଶୃଙ୍ଖଳା । ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ସମ୍ବଲପୁର। ସମଗ୍ର ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସହରକୁ ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ। ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ବଡ଼ ବଡ଼ ୧୦ଟି ଏଲଇଡି ଓ ଡ୍ରୋନ ସାହାଯ୍ୟରେ ସହର ଉପରେ ନଜର ରଖାଯାଇଛି। ହୁନମାନ ଜୟନ୍ତୀ ପୂର୍ବରୁ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା। ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ ଆର ପି କୋଚେ ଯୋଗଦେଇ ସମୀକ୍ଷା କରିଥିଲେ।