୧୦ ଦିନର ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକ୍ରି କରି ବାଇକ କିଣିଲା ସ୍ୱାର୍ଥପର ବାପା

ବାଲେଶ୍ବର: ବାପା ନାଁରେ ସାଂଘାତିକ ଅଭିଯୋଗ । କୁଆଡ଼େ ପିଲା ବିକି ନିଜ ସ୍ବପ୍ନ ପୂରଣ କରିଛି । ସେହି ପଇସାରେ କିଣିଛି ମୋଟର ସାଇକେଲ । ସତରେ ବାପା ହେବ ତ ଏମିତି । ପିଲା ଜନ୍ମ କରିବ ଆଉ ତାକୁ ବିକି ଅଏସ୍ କରିବ । ଆଜ୍ଞା ହଁ, ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ । ଅଭିଯୋଗ ଅନୁସାରେ ନଟାକଟା ପଞ୍ଚାୟତର ହଦମଉଦ ଗାଁରେ ନିଜର ୧୦ ଦିନର ଶିଶୁପୁତ୍ରକୁ ବିକ୍ରି କରି ବାଇକ କିଣିଲା ସ୍ୱାର୍ଥପର ବାପା । ନିଜର ବାଇକ ଚଢିବାର ସଉକ ଗୋଟେ ବାପାକୁ କରି ଦେଇଛି ଅନ୍ଧ ।

ପିଲାଟିର ମାଆ ହେଉଛନ୍ତି ଶାନ୍ତି ପାତ୍ର । ୩ ବର୍ଷ ତଳେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୋଡାପଡା ଗାଁର ଧର୍ମୁ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀ ହଦମଉଦ ଗାଁରେ ରହୁଥିଲେ । ପୂର୍ବରୁ ଶାନ୍ତିଙ୍କର ଗୋଟିଏ ପୁଅ ରହିଥିବା ବେଳେ ଧର୍ମୁକୁ ବିବାହ କରିବା ପରେ ପୁଣି ଗୋଟିଏ ପୁଅକୁ ୧୦ ଦିନ ତଳେ ଜନ୍ମ ଦେଇଥିଲେ । ଗତ ୧୯ ତାରିଖ ଦିନ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜନ୍ମ ଦେଇଥିଲେ ପିଲାକୁ । ୨୨ ତାରିଖ ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ଶାନ୍ତି । ତେବେ ଅଭିଯୋଗ ହୋଇଛି କି କିଛି ଲୋକଙ୍କ ସହାୟତାରେ ଧର୍ମୁ ପିଲାଟିକୁ ୬୦ ହଜାର ଟଙ୍କାରେ ବିକ୍ରି କରିଛି । ଉଦଳା ଥାନା ଅନ୍ତର୍ଗତ ସାଇଁକୁଳା ପଞ୍ଚାୟତ ମାଣିଚକ ଗାଁର ଜଣେ ନିଃସନ୍ତାନ ବ୍ୟକ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଥିବା କୁହାଯାଉଛି । ଆଉ ସେହି ଟଙ୍କାରେ ଅମର୍ଦାରୋଡ ସ୍ଥିତ ଏକ ବାଇକ ସୋରୁମରୁ ମାସିକିଆ କିସ୍ତି ହିସାବରେ ଗୋଟିଏ ବାଇକ କିଣି ଗାଁରେ ବୁଲାବୁଲି କରିଥିଲେ ଧର୍ମୁ ।

ଧର୍ମୁ ଜଣେ ଗରିବ ପରିବାରର ହୋଇଥିବା ବେଳେ ନୂଆ ଗାଡି କେମିତି କିଣିଲା ପୁଣି ଡାକ୍ତରଖାନାରେ ଜନ୍ମ ହୋଇଥିବା ପୁଅ କୁଆଡ଼େ ଗଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଜଣା ପଡିଥିଲା କି ତାଙ୍କର ଜନ୍ମ ହୋଇଥିବା ଶିଶୁପୁତ୍ରକୁ ସେ ବିକ୍ରି କରି ଗାଡି କିଣିଛନ୍ତି ବୋଲି । ଏହି ଘଟଣା ପ୍ରଘଟ ହେବା ପରେ ୨୭ ତାରିଖ ଦିନ ଜଣେ ନୋଟାରି ପାଖକୁ ଯାଇ ପୁଅକୁ ଦାନ କରିଥିବା ଆଫିଡେଭିଟ୍ କରିଛନ୍ତି । ଅଭାବ ଅନଟନ ଭିତରେ ପିଲାକୁ ପାଳି ପାରିବେ ନାହିଁ ବୋଲି ଏହାକୁ ଦାନ କରିଥିବା ସତ୍ୟପାଠରେ ଲେଖିଛନ୍ତି । ଆଉ ପୁଅ ବିକ୍ରି କରିଥିବା କଥାକୁ ମାନି ନାହାନ୍ତି ଉଭୟ ସ୍ବାମୀ ସ୍ତ୍ରୀ।