ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ କରିବ ଗ୍ରୀନ ଆମୋନିଆ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ ଏକ ଗ୍ରୀନ ଆମୋନିଆ ପ୍ରକଳ୍ପ କରିବ । ଏଥିଲାଗି ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ସିଙ୍ଗାପୁରରୁ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆଜି ସେମ୍ବକର୍ପ ଇଣ୍ଡଷ୍ଟ୍ରି ପରିଦର୍ଶନ କରିଥିଲେ । ଅକ୍ଷୟ ଶକ୍ତିରେ ସିଙ୍ଗାପୁର କେତେ ଅଗ୍ରଗତି କରିଛି ତାହା ବୁଲି ଦେଖିଥିଲେ । ସିମ୍ବକର୍ପ ସିଇଓ ୱଙ୍ଗ କିମ୍ ଇନ୍ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରେ ସେମ୍ବକର୍ପର ଓଡ଼ିଶା ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଓଡ଼ିଶାର ଫୋକସରେ ରହିଛି ଅକ୍ଷୟ ଶକ୍ତି, ଗ୍ରୀନ ଫୁଏଲ ଏବଂ ଏ ସମ୍ପର୍କିତ ମ୍ୟାନୁଫେକଚରିଂ ଶିଳ୍ପ ପ୍ରତି ନିବେଶ ଆକୃଷ୍ଟ କରିବା । ଓଡ଼ିଶାରେ ଥିବା ଗ୍ରୀନ୍ ଇନଭେଷ୍ଟମେଣ୍ଟର ସୁଯୋଗ ନେଇ ସେମ୍ବ କର୍ପ ସହ ଆଲୋଚନା ହୋଇଥିଲା ।  କେବଳ ସେମ୍ବ୍ କର୍ପ ନୁହଁ ଆଜି ଅନେକ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ଆଲୋଚନା କରିଥିଲା ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ।

ସିଟି ମେଟ୍ରିକ୍ସର ପ୍ରତିଷ୍ଠାତା ଡ. ଏଡୱାର୍ଡ ମୋର୍ଟୋନଙ୍କ ସହ ଆଇଟି, ଆଇଟିଇଏସ, ସେମିକଣ୍ଡକ୍ଟର୍ସ, ମେଡିକାଲ ଯନ୍ତ୍ରପାତି ଉତ୍ପାଦନ ଏବଂ ସ୍ମାର୍ଟ ସିଟି ସଲ୍ୟୁସନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୋହନ ମାଝୀ । ଡ. ମୋର୍ଟୋନଙ୍କୁ ଓଡ଼ିଶାକୁ ଆସିବା ପାଇଁ ନିମନ୍ତ୍ରଣ କରିବା ସହ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ବିକାଶ କରିବାକୁ ସମସ୍ତ ସହଯୋଗ ଯୋଗାଇବାକୁ ଦେଇଥିଲେ ପ୍ରତିଶ୍ରୁତି ।  ଡ. ଏଡୱାର୍ଡ ମୋର୍ଟୋନଙ୍କ ପରେ ଭିସା ଗ୍ରୁପ୍ ଲିମିଟେଡର ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା ।

ଓଡ଼ିଶାରେ ଷ୍ଟିଲ୍ ଓ ଫୋରୋକ୍ରୋମ ସେକ୍ଟରରେ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ବିବେକ ଅଗ୍ରୱାଲଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ କମିଟି ଓରିଣ୍ଡି ସିଙ୍ଗାପୁର ଲିମିଟେଡର ଅଧ୍ୟକ୍ଷ ରବିନ ଝୁନଝୁନୱାଲାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ସହଯୋଗ ପ୍ରତିଶ୍ରୁତି ସହ ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଝୁନଝୁନୱାଲକୁ ପ୍ରୋତ୍ସାହିତ କରିଥିଲେ । ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ସିଙ୍ଗାପୁର ଗସ୍ତ କରିଛି ।

ଆଜି ପ୍ରଥମେ ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଡ. ଶିଳ୍ପକ ଆମ୍ବୁଲେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ କମିଟିକୁ ଭାରତ-ସିଙ୍ଗାପୁର ବାଣିଜ୍ୟିକ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଶିଳ୍ପୋଦ୍ୟୋଗୀଙ୍କ ସହ ବୈଠକ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପାଇଁ ହାଇକମିଶନରଙ୍କ ତରଫରୁ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ, ହସ୍ତତନ୍ତ, ସିଫୁଡ୍, କୁଶଳୀ ଶ୍ରମିକ କ୍ଷେତ୍ରରେ ନିବେଶକଙ୍କୁ ସୁବିଧା ଓ ସୁଯୋଗ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ।  ଆସନ୍ତା ତିନି ଦିନ ମଧ୍ୟରେ, ଜୁରୋଙ୍ଗ ପେଟ୍ରୋକେମିକାଲସ ରିଜିଓନର ପରିଦର୍ଶନ ସହ ITEES, PSA ହୋରାଇଜନ କମ୍ପାନୀ ସହ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 

You might also like