ଓଡ଼ିଶାର ନୂଆ ଆଡଭୋକେଟ ଜେନେରାଲ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କଲେ ପୀତାମ୍ବର ଆଚାର୍ଯ୍ୟ

 କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶାର ନୂଆ ଆଡଭୋକେଟ ଜେନେରାଲ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଆଚାର୍ଯ୍ୟ ରାଜ୍ୟର ନୂତନ ଆଡଭୋକେଟ ଜେନେରାଲ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ହାଇକୋର୍ଟ ପରିସରରେ ଏଜି ଅଫିସକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ ।  ଭାରତୀୟ ସମ୍ବିଧାନର ଧାରା ୧୬୫ର ଧାରା (୧) ଅନୁଯାୟୀ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ତୁରନ୍ତ ଓଡ଼ିଶା ରାଜ୍ୟ ପାଇଁ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ କରିଥିଲେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ।

ଶ୍ରୀ ଆଚାର୍ଯ୍ୟ ଓଡ଼ିଶାର ୨୫ ତମ ଏଜି ଭାବେ ଦାୟିତ୍ୱ ନେଇଥିବା ବେଳେ ରାଜ୍ୟର ବିଜେପି ସରକାରଙ୍କ ପ୍ରଥମ ଏଜି ।  ଶ୍ରୀଯୁକ୍ତ ଆଚାର୍ଯ୍ୟ ବିଜେପି ଏବଂ ରାଜ୍ୟର ଜଣାଶୁଣା ବ୍ୟକ୍ତିତ୍ୱଙ୍କ ପାଇଁ ହାଇକୋର୍ଟରେ ଅନେକ ହାଇପ୍ରୋଫାଇଲ ମାମଲାକୁ ସଫଳତାର ସହ ପରିଚାଳନା କରିଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏଜି ଅଶୋକ କୁମାର ପରିଜା ଏହି ପଦରୁ ଇସ୍ତଫା ଦେଇଥିଲେ ।  ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା ।  ନୂଆ ଏଜିଙ୍କ ନିଯୁକ୍ତି ଓ ଦାୟିତ୍ୱ ଗ୍ରହଣ ପରେ ଏବେ ଅନ୍ୟ ସରକାରୀ ଓକିଲ ନିଯୁକ୍ତି ହେବ ।

ଏଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବା ପରେ ହାଇକୋର୍ଟର ବହୁ ଆଇନଜୀବୀ, ଆଡ଼ଭୋକେଟ ଜେନେରାଲ କାର୍ଯ୍ୟାଳୟର କର୍ମଚାରୀ, ଏଏସଓ, ହାଇକୋର୍ଟର କର୍ମଚାରୀ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଏଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଡଭୋକେଟ ଜେନେରାଲ ଏକ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ ଏହି ପଦର ମର୍ଯ୍ୟାଦାକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ।

 

You might also like