ନୂଆ ଡିଜି ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି. ଖୁରାନିଆ

କଟକ : ଦାୟିତ୍ବ ନେଲେ ନୂଆ ଡିଜିପି । ନୂଆ ଡିଜି ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି. ଖୁରାନିଆ। କଟକ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଇନଚାର୍ଜ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ପୋଲିସ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ ସହିଦ ସ୍ମାରକୀରେ ଦେଇଥିଲେ ଶ୍ରଦ୍ଧାଞ୍ଜଳି। ଅନ୍ୟ ବରିଷ୍ଠ ଆଇପିଏସ ଅଧିକାରୀମାନେ ହାତ ମିଳାଇ ତାଙ୍କୁ ପାଛୋଟି ନେଇଥିଲେ। ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ପୋଲିସ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
୧୯୯୦ ବ୍ୟାଚ୍ .ଆଇ ପି ଏସ୍ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ। ୨୦୧୮ ରୁ ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ଓଡ଼ିଶାକୁ ଫେରିବା ପୂର୍ବରୁ ସେ ବିଏସଏଫ୍ ସ୍ପେସାଲ ଡିଜି ଭାବେ ଦାୟିତ୍ବ ତୁଲାଉଥିଲେ। ପୂର୍ବରୁ ଓଡ଼ିଶା ପୋଲିସରେ ସେ ବିଭିନ୍ନ ପଦପଦବୀରେ ଦାୟିତ୍ବ ତୁଲାଇଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ଡିଜିପି। ୨୦୧୮ଅକ୍ଟୋବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସଏଫର ଆଇଜି ଓ ପରେ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିଛନ୍ତି । ୨୦୨୩ ଜୁନରୁ ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଚଣ୍ଡିଗଡ଼ର ସ୍ପେଶାଲ ଡିଜି ଭାବରେ ଅବସ୍ଥାପିତ ଥିଲେ। ୧୯୬୬ ମାର୍ଚ୍ଚ ୯ରେ ହରିୟାଣାର କୈଥଲରେ ଜନ୍ମିତ ଯୋଗେଶ ବାହାଦୁର ଖୁରାନିଆ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବି କମ ଓ ଏଲଏଲବି ଶିକ୍ଷାଲାଭ ପରେ ଆଇପିଏସ ପାଇଥିଲେ ।
୨୦୦୦ ମସିହା ଫେବୃଆରୀ ମାସରେ ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ଘଟଣାର ଅଭିଯୁକ୍ତ ଦାରା ସିଂକୁ ଗିରଫ କରିଥିଲେ । ପୋଲିସ କମିଶନର ଥିବା ବେଳେ କଟକର ଧଳ ସାମନ୍ତ ଭ୍ରାତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ସେ ୫ ଦିନିଆ କାଶ୍ମୀର ଗସ୍ତ କରି ଏଲଓସିରେ ସୁରକ୍ଷାର ସ୍ଥିତି ସମୀକ୍ଷା କରି ଅପରେସନ ରଣନୀତି ପ୍ରସ୍ତୁତ କରିଥିଲେ । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଜ୍ୟପାଳଙ୍କ ପଦକ, ରାଷ୍ଟ୍ରପତିଙ୍କ ପୋଲିସ ପଦକ, ଅତି ଉତ୍କୃଷ୍ଟ ପୋଲିସ ସେବା ପଦକ, ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ହାସଲ କରିଛନ୍ତି ।