ପୁଣି ଅଶାନ୍ତ ଆଠଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତିଗିରିଆରେ ବୋମା ମାଡ଼

ଆଠଗଡ଼ : ପୁଣି ଅଶାନ୍ତ ଆଠଗଡ଼ ତିଗିରିଆ ଥାନା ଅଞ୍ଚଳ । ଫୁଟିଲା ବୋମା, ଗାଁରେ ପୋଲିସ ମୁତୟନ। ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ ହୋଇଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଗୋଟିଏ ଗୋଷ୍ଠୀ ଗାଁରେ ବୋମାମାଡ କରିଛି ।

ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ବେଲଅଣ୍ଟା ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ଘଟଣା ସ୍ଥଳରେ ଆଠଗଡ଼ ଏସଡିପିଓ ଙ୍କ ସମେତ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ଗାଁରେ ଏବେବି ଚାପା ଉତ୍ତଜେନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ହୋଲି ଦିନ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚଜଣ ଆହାତ ହୋଇଥିଲେ। ଉକ୍ତ ସମୟରେ ହୋଇଥିବା ସଂଘର୍ଷରେ ଭୋଗଡାର ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିଲେ । ପୋଲିସ୍‌ ପ୍ରଶାସନର ଉଦ୍ୟମ ଫଳରେ କିଛି ଦିନ ଶାନ୍ତ ପଡିବା ପରେ ଏବେ ଗାଁ ପୁଣି ଅଶାନ୍ତ ହୋଇ ପଡିଛି।